ଆଜିଠୁ ଆରମ୍ଭ ହୋଇଯାଇଛି ସିବିଏସଇ ବୋର୍ଡ ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି । ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ଗୋଟିଏ ତାରିଖରେ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେଉଥିଲେ ହେଁ ଦଶମ ଶ୍ରେଣୀ ମାର୍ଚ୍ଚ ୨୦ ଓ ଦ୍ଵାଦଶ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ । ୧୪ଟି ବିଷୟରେ ପରୀକ୍ଷା ଦେବେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ।
ମାର୍ଚ୍ଚ ୨୦ ତାରିଖରେ କମ୍ପ୍ୟୁଟର ଆପ୍ଲିକେସନ୍ ଓ ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ବିଷୟରେ ପରୀକ୍ଷା ଦେବେ । ଫେବୃୟାରୀ ୨୪ରେ ଓଡ଼ିଆ କିମ୍ବା ଅନ୍ୟାନ୍ୟ ଭାଷାର ପରୀକ୍ଷା ଥିବା ବେଳେ ୨୬ ତାରିଖରେ ଇଂରାଜୀ, ୨୯ରେ ହିନ୍ଦୀ, ମାର୍ଚ୍ଚ ୪ରେ ବିଜ୍ଞାନ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୭ ତାରିଖରେ ସଂସ୍କୃତ ଓ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ । ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା ।
୧୦ଟା ସୁଦ୍ଧା ସମସ୍ତ ପରୀକ୍ଷାର୍ଥି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଚଳିତ ବର୍ଷ ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୯ ହଜାର ଓ ଦ୍ଵାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ନେଇ ସୂଚନା ରହିଛି ।