CBSE ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ବାତିଲ୍… ରେଜଲ୍ଟ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି
ନୂଆଦିଲ୍ଲୀ: କରୋନା ଯୋଗୁଁ ବ୍ୟବସାୟଠୁ ଆରମ୍ଭ କରି ଫିଲ୍ମ ଜଗତର ସବୁ କାର୍ଯ୍ୟ ଠପ୍ ହୋଇଯାଇଛି । ଦେଶର ଅର୍ଥନୀତି ଉପରେ ମଧ୍ୟ ଅନେକ ପ୍ରଭାବ ପଡିଛି । କରୋନା କଟକଣା ଲାଗୁ ହେବା ପରେ ଅଧିକାଂଶ କ୍ଷେତ୍ରରେ କାମ ଠପ୍ ହୋଇଯାଇଛି । ତେବେ ଏଥିରେ ଶିକ୍ଷା କ୍ଷେତ୍ର ମଧ୍ୟ ବାଦ ପଡିନାହିଁ । ତିନି ମାସ ଅପେକ୍ଷା ପରେ ବାତିଲ ହୋଇଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀର ସବୁ ପରୀକ୍ଷା । କିଛି ପରୀକ୍ଷା ସରିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ନେଇ ନିର୍ଦ୍ଦେଶ ରହିଛି ।
ସୁପ୍ରିମକୋର୍ଟ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ । ତେବେ ଦିଲ୍ଲୀ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ ଓଡ଼ିଶା ପରୀକ୍ଷା କରିବାକୁ ଅସମର୍ଥତା ଦର୍ଶାଇ ବାତିଲ କରିବା ଦାବିରେ ସତ୍ୟପାଠ ଦାଖଲ କରିଥିଲେ । ଏ ସଂପର୍କରେ ଶୁଣାଣି ବେଳେ କୋର୍ଟଙ୍କୁ ଅବଗତ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ଫଳରେ ସର୍ବୋଚ୍ଚ ଅଦାଲତ ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରିଦେଇଛନ୍ତି ।
ଦଶମ ଶ୍ରେଣୀ ପରୀକ୍ଷା ସଂପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଦ୍ଵାଦଶ ଶ୍ରେଣୀ ପାଇଁ ବିକଳ୍ପ ବାହାର କରାଯାଇଛି । ଯାହାକୁ ଛାତ୍ରଛାତ୍ରୀ ଚାହିଁଲେ ଗ୍ରହଣ କରିପାରିବେ ବୋଲି କୁହାଯାଇଛି । ତେବେ ପୂର୍ବରୁ ଶେଷ ହୋଇଥିବା ୩ଟି ପରୀକ୍ଷାର ଆସେସମେଣ୍ଟ କରି ରେଜଲ୍ଟ ପ୍ରକାଶ ପାଇବ । ତାହା କିପରି କରାଯିବ ସେ ନେଇ ମଧ୍ୟ ଜୁଲାଇ ୧୫ ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିଭଳି କେବେ ରେଜଲ୍ଟ ବାହାରିବ, ସେନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇବ ।
ଅନ୍ୟପଟେ ସିବିଏସଇ ନିଷ୍ପତ୍ତିକୁ ଆଇସିଏସଇ ମାନିବ ବୋଲି କହିଛି । ଅର୍ଥାତ ଆଗକୁ ଆଇସିଏସଇ ମଧ୍ୟ ସବୁ ପରୀକ୍ଷା ବାତିଲ କରିପାରେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରୀକ୍ଷା ବାତିଲ ଓ ଫଳ ପ୍ରକାଶନ ବିଳମ୍ବରେ ଗୁରୁତର ପ୍ରଭାବିତ ହୋଇପାରେ ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ।