ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଭାରତୀୟ ରାଜସ୍ବ ସେବା ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ : ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଭାରତୀୟ ରାଜସ୍ବ ସେବା ଅଧିକାରୀ ଅମିତ କୁମାର ସିଂ । ଦିଲ୍ଲୀ ଆୟକରଦାତା ସେବାର ଅତିରିକ୍ତ ମହାନିର୍ଦ୍ଦେଶକ ଥିବା ଅମିତ କୁମାର ସିଂ ଓ ତାଙ୍କ ବେସରକାରୀ ସହଯୋଗୀ ହର୍ଷ କୋଟାକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଗିରଫ କରିଛି । ସିବିଆଇ ସୂଚନା ମୁତାବକ ଜଣେ ଆୟକରଦାତାଙ୍କ ଆୟକର ରିଟର୍ଣ୍ଣ ଅନିୟମିତତା ହୋଇଥିବା ଦର୍ଶାଇ ତାଙ୍କ ଉପରେ ଜରିମାନା ବସାଇବାକୁ ଅମିତ ଓ ତାଙ୍କ ସହଯୋଗୀ ହର୍ଷ ଧମକାଉଥିଲେ । ଏପରିକି ଲାଞ୍ଚ ଦେଲେ ତାଙ୍କ ମାମଲାଟିକୁ ରଫାଦଫା କରିବାକୁ ଦେଇଥିଲେ ପ୍ରସ୍ତାବ । ଏଥିପାଇଁ ୪୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଡିଲ୍ ହୋଇଥିଲା । ଅଗ୍ରୀମ ଆକାରରେ ୨୫ ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଥିଲା । ଏ ନେଇ ଅଭିଯୋଗ ପାଇବା ପରେ ଉଭୟଙ୍କୁ ରେଡ୍ ହ୍ୟାଣ୍ଡ ଧରିବାକୁ ଜାଲ ବିଛାଇଥିଲା ସିବିଆଇ । ଗତକାଲି ପଞ୍ଜାବର ମୋହାଲିରେ ଅଗ୍ରୀମ ଟଙ୍କା ପ୍ରଦାନ ବେଳେ ଦୁଇଜଣଙ୍କୁ ମାଡ଼ିବସିଲା ସିବିଆଇ । ଏ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଛି । ସୂଚନା ମୁତାବକ ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ଖୋଜି ବାହାର କରିବା ପାଇଁ ଦିଲ୍ଲୀ, ପଞ୍ଜାବ ଓ ମୁମ୍ବାଇରେ ଉଭୟ ଅଭିଯୁକ୍ତଙ୍କର ଲିଙ୍କକୁ ଅଧିକ ଖୋଳତାଡ଼ କରୁଛି ତଦନ୍ତକାରୀ ସଂସ୍ଥା ।