ସୋନାଲି ହତ୍ୟାର ତଦନ୍ତ କରିବ ସିବିଆଇ, ସୁପାରିଶ କଲେ ଗୋଆ ସରକାର

ପାଣାଜୀ: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟ ମର୍ଡର ମିଷ୍ଟ୍ରି । ସିବିଆଇକୁ ମାମଲା ହସ୍ତାନ୍ତର କରିବ ଗୋଆ ପୋଲିସ । ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ।

ଗୋଆ ପୋଲିସ ତଦନ୍ତ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ମାତ୍ର ସୋନାଲିଙ୍କ ପରିବାର ଲୋକଙ୍କ ଦାବି ଯୋଗୁ ମାମଲାକୁ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରାଯିବ ବୋଲି ଗୋଆ ସିଏମ୍ କହିଛନ୍ତି । ଗୋଆର ଏକ ହୋଟେଲରେ ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ସୋନାଲିଙ୍କ ମୃତ୍ୟୁ ହୋଇଥିଲା । ସୋନାଲିଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ ପରିବାର ଲୋକେ ।

ସୋନାଲିଙ୍କ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି  । ଗୋଆ ପୋଲିସ ଅଗଷ୍ଟ ୨୬ରେ ମୁଖ୍ୟ ଅଭିଯୁକ୍ତ ସୁଧୀର ସାଙ୍ଗୱାନଙ୍କ ସମେତ ୫ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି  ।

ସୋନାଲିଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ହିସାର, ରୋହତକ, ଗୁରୁଗ୍ରାମ ସହ ହରିୟାଣାର ଅନେକ ସ୍ଥାନରେ ଚଢାଉ କରିଥିଲା  । କିନ୍ତୁ ଗୋଆ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ହୋଇ ସୋନାଲିଙ୍କ ପରିବାର ସିବିଆଇ ତଦନ୍ତି ଦାବି କରିଥିଲେ ।