ଦିଲ୍ଲୀ ମଦ ନୀତି ମାମଲା, ଆଜିଠୁ ମନୀଷ ସିସୋଦିଆଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜିଠାରୁ ଜେରା କରିବ ସିବିଆଇ । ଆସନ୍ତା ୪ ତାରିଖ ଯାଏ ସିବିଆଇ ହେପାଜତରେ ରହିବେ ସିସୋଦିଆ । ଗତକାଲି ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ସିସୋଦିଆଙ୍କ ଲାଗି ମାମଲା ଲଢୁଥିବା ଆଇନଜୀବୀ ଦାୟନ କ୍ରିଷ୍ଣାନନ ସିବିଆଇର ଯୁକ୍ତିକୁ ଖଣ୍ଡନ କରିଛନ୍ତି । ସିବିଆଇ ମନଗଢା କଥାମାନ କହୁଛି ବୋଲି ସେ ଅଭିଯୋଗ କରିଛନ୍ତି । ମେ ୨୦୨୧ରେ ତତକାଳୀନ ଏଲଜି ମଦ ନୀତିରେ ସ୍ବାକ୍ଷର କରିଥିବା ବେଳେ ଏହାକୁ କାହିଁକି ଲୁଚାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ସିସୋଦିଆଙ୍କୁ ଗିରଫ ପ୍ରତିବାଦରେ ଗତକାଲି ଦେଶର ଅଧିକାଂଶ ସ୍ଥାନରେ ଆପ୍ କର୍ମୀ ବିକ୍ଷୋଭ କରିଥିଲେ । ଗଣତନ୍ତ୍ରକୁ ହତ୍ୟା କରି କେନ୍ଦ୍ର ସରକାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଛି ବୋଲି ଆପ୍ ଅଭିଯୋଗ କରିଥିଲା । ସିସୋଦିଆଙ୍କୁ ଗିରଫ ପରଠାରୁ ଭାରତୀୟ ଜନତା ପାର୍ଟିର ଅନ୍ତ ଘଟିବା ଆରମ୍ଭ ହୋଇଛି ବୋଲି କହିଛି ଆପ୍ । ଗତବର୍ଷ ମେ ମାସରେ ବେଆଇନ ଅର୍ଥ କାରବାର ମାମଲାରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିବା ସତ୍ତ୍ବେ ତାଙ୍କୁ ଜାମିନ ମିଳିପାରୁନାହିଁ । ସେପଟେ ଦିଲ୍ଲୀ ସରକାରଙ୍କ ୩୩ଟି ବିଭାଗ ମଧ୍ଯରୁ ଶିକ୍ଷା ସମେତ ପ୍ରାୟ ୧୮ଟି ବିଭାଗ ଦାୟିତ୍ବରେ ସିସୋଦିଆ ଥିବାରୁ ସରକାର ପରିଚାଳନାରେ ସମସ୍ୟା ଦେଖାଦେଇପାରେ ।