ଅନିଲ୍ ଦେଶମୁଖଙ୍କୁ ହେପାଜତକୁ ନେଲା CBI

ନୂଆଦିଲ୍ଲୀ: ୧୦୦ କୋଟି ଚାନ୍ଦା ଆଦାୟ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ହେପାଜତକୁ ନେଇଛି ସିବିଆଇ। ତାଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଥିଲେ ଦେଶମୁଖ।

ଦେଶମୁଖଙ୍କୁ ହେପାଜତକୁ ନେବା ପାଇଁ ସିବିଆଇ ସ୍ବତନ୍ତ୍ର କୋର୍ଟ ଅନୁମତି ଦେଇଥିଲେ। ତେବେ ସ୍ବତନ୍ତ୍ର କୋର୍ଟର ଆଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ଦେଶମୁଖ । ଏହି ମାମଲାରେ ବରଖାସ୍ତ ଏଏସଆଇ ସଚିନ ଭାଜେ ଓ ଦେଶମୁଖଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ସଂଜିବ ପଲାନ୍ଦେ ମଧ୍ୟ ଅଭିଯୁକ୍ତ ।

ଅନିଲ ଦେଶମୁଖ ମଙ୍ଗଳବାର ଦିନ ମୁମ୍ବାଇର ସରକାରୀ ଜେ.ଜେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କାନ୍ଧରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଶନିବାର ଅର୍ଥାତ୍ ଏପ୍ରିଲ୍ ୨ ତାରିଖରେ ଆର୍ଥର ରୋଡ ଜେଲରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ପୂର୍ବତନ ମନ୍ତ୍ରୀଙ୍କୁ ଗତ ବର୍ଷ ନଭେମ୍ବର ମାସରେ ୧୦୦ କୋଟି ଚାନ୍ଦା ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା।