ବଢ଼ିଲା IAS ବିଷ୍ଣୁପଦ ସେଠୀଙ୍କ ଅଡୁଆ, ସାମ୍ନାକୁ ଆସିଲା ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀର ଏକ ଚିଠି

ଭୁବନେଶ୍ବର: ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ମାମଲାରେ ସାମ୍ନାକୁ ଆସିଛି ଏକ ଚିଠି। ଏହି ଚିଠି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ଲେଖାଯାଇଛି। ବିଷ୍ଣୁପଦ ସେଠୀଙ୍କୁ କମ୍ପାନୀର ଦୁଇ ଅଧିକାରୀ ଚଞ୍ଚଳ ମୁଖାର୍ଜୀ ଓ ଆଉ ଜଣେ ବିକେ ସିଂହ ଭେଟିବା ଲାଗି କମ୍ପାନୀ ତରଫରୁ ଅନୁମତି ମଗାଯାଇଛି। ୫ ତାରିଖରେ ଭେଟିବାକୁ ଅନୁମତି ମଗାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା କମ୍ପାନିର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ପାଇଁ ସେମାନେ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ଚାହୁଁଥିଲେ। ଏହି ଚିଠି ପରେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସଂପର୍କିତ ମାମଲା ନୂଆ ମୋଡ଼ ନେଇଛି ଓ ନାନା ପ୍ରଶ୍ନ ବି ଉଠିଛି ।

ଗତକାଲି ସିବିଆଇରେ ହାଜର ହୋଇଥିଲେ ଏକ ତାରକା ହୋଟେଲର ରିଜିଓନାଲ ମ୍ୟାନେଜର । ଅଭିଯୋଗ ହୋଇଥିଲା ଟେଣ୍ଡର ନକରି ବିଭିନ୍ନ ସ୍କୁଲର ଉନ୍ନତି କରଣ କାମ ବ୍ରିଜ ଆଣ୍ଡ ରୁଫକୁ ଦିଆଯାାଉଥିଲା। କିନ୍ତୁ ଏହି କମ୍ପାନୀରୁ ସବ୍ ଲେଟରେ କାମ ନେଉଥିଲେ ରାଜ୍ୟର କିଛି ପ୍ରାଇଭେଟ ରିଏଲ ଇଷ୍ଟେଟ କମ୍ପାନୀ । ପ୍ରକୃତରେ ସେହି କମ୍ପାନୀଗୁଡ଼ିକୁ କାମ ମିଳୁଥିଲା ଓ ସେମାନେ ମାଲେମାଲ ହେଉଥିଲେ ବୋଲି ଅଭିଯୋଗ ହେଉଛି। ଗତ ୯ ତାରିଖରେ ବ୍ରିଜ୍ ଆଣ୍ଡ ରୁଫ କମ୍ପାନିର ଚଞ୍ଚଲ ମୁଖାର୍ଜୀଙ୍କ ସହିତ ଆଉ ଦୁଇଟି କମ୍ପାନୀର ୨ ଜଣଙ୍କୁ ଗିରଫ କରିଥିଲା ସିବିଆଇ। ସେମାନେ ହେଲେ ଆଦିତ୍ୟଦେବ ଇନଫ୍ରାଷ୍ଟକର ପ୍ରାଃ ଲିମିଟେଡର ମୁଖ୍ୟ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିଃର ସନ୍ତୋଷ ମହାରଣା ।

୧୦ ଲକ୍ଷ ଟଙ୍କା ବି ଜବତ ହୋଇଥିଲା। ଗତ ଅକ୍ଟୋବର ୧୯ ତାରିଖରେ ବିଷ୍ଣୁପଦ ସେଠୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ୪ଟି କେନ୍ଦ୍ରୀୟ ପିଏସୟୁ ବ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ କରିବା ସମ୍ପର୍କରେ ଅବଗତ କରାଇଥିଲେ। ଏହି ୪ଟି ସଂସ୍ଥାକୁ ମୋଟ ୩୬୧କୋଟି ଟଙ୍କାର କାର୍ଯ୍ୟ କରିବା ନିମନ୍ତେ ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ କରି ବିଭାଗରେ ଦାଖଲ ନିମନ୍ତେ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ।