ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ପୁଣି ସମନ ଜାରି କରିଛି ସିବିଆଇ । ଆସନ୍ତାକାଲି ସିବିଆଇ ମୁଖ୍ୟାଳୟରେ ହାଜର ହେବା ଲାଗି ଦିଆଯାଇଛି ନିର୍ଦ୍ଦେଶ । ଏନେଇ ସିସୋଦିଆ କହିଛନ୍ତି- ତାଙ୍କୁ ମଦ ଦୁର୍ନୀତି ମାମଲାରେ ସିବିଆଇ ସମନ ଜାରି କରିଛି । ତାଙ୍କ ବିରୋଧରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିବାରେ ଲାଗିଛନ୍ତି । ପୂର୍ବରୁ ତାଙ୍କ ଘରେ ରେଡ ହୋଇଥିଲା, ବ୍ୟାଙ୍କ ଲକର ସର୍ଚ୍ଚ କରାଯାଇଥିଲା । ମାତ୍ର କିଛି ପାଇ ନଥିଲେ ।

ଦିଲ୍ଲୀ ପିଲା ଭଲ ପଢ଼ିବା ଲାଗି ସେ ସମସ୍ତ ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହା ନ କରିବା ଲାଗି ସିବିଆଇ ଓ ଇଡି ଚାହୁଁଛନ୍ତି । ସବୁ ପ୍ରକାର ତଦନ୍ତ ଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି ସିସୋଦିଆ । ଗତବର୍ଷ ଅଗଷ୍ଟରେ ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ଆଇପିସିର ଧାରା ୪୭୭, ୧୨୦ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁସାରେ ମାମଲା ରୁଜୁ କରିଥିଲା । ମାମଲାର ସିବିଆଇ ତଦନ୍ତ ଲାଗି ଲେଫଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ସୁପାରିସ କରିଥିଲେ ।