ସିବିଆଇର ଦବଙ୍ଗଗିରି, ତେଜସ୍ବୀ ଯାଦବଙ୍କୁ ଜେରା ଲାଗି ସମନ

ନୂଆଦିଲ୍ଲୀ: ପୁଣି ସିବିଆଇର ଦବଙ୍ଗଗିରି। ଚାକିରି ଲାଗି ଜମି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଜେରା ଲାଗି ସିବିଆଇ ଦେଇଛି ସମନ । ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ ପଚରାଉଚରା କରିଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ କ୍ରମେ ଏହି ନୋଟିସ ହୋଇଛି।

ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ହେମା ଯାଦବ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ଏହି ମାମଲାରେ ଚାକିରି ଲାଗି ଜମି ଦୁର୍ନୀତି ହୋଇଥିଲା । ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଘଟଣା ଘଟିଥିଲା।

ଗତ ମେ’ ୨୦୨୨ରେ ମାମଲା ରୁଜୁ ହୋଇଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଲାଲୁଙ୍କ ପୂର୍ବତନ ଓଏସଡି ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିଛି ।

ଗତ ୧୦ ତାରିଖରେ ଲ୍ୟାଣ୍ଡ ଫର ଜବ ସ୍କାମରେ ଦିଲ୍ଲୀରୁ ବିହାର ଯାଏ ୧୫ସ୍ଥାନରେ ରେଡ୍ ହୋଇଥିଲା । ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିହାର, ୟୁପି ଓ ମୁମ୍ବାଇରେ ଲାଲୁ ଯାଦବଙ୍କ ପରିବାର ଓ ସମ୍ପର୍କୀୟଙ୍କ ଘରେ ଇଡି ରେଡ କରିଥିଲା।