ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍, ଦିଲ୍ଲୀ NCR ସହ ୨୦ଟି ସ୍ଥାନରେ ଛାନବିନ୍

1 min read

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ । ଅବକାରୀ ନୀତିକୁ ନେଇ ସିବିଆଇ ରେଡ୍ ହୋଇଛି । ଅବକାରୀ ନୀତିକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଞ୍ଚ କରିବାକୁ ସୁପାରିଶ କରିଥିଲେ । ଆଜି ଦିଲ୍ଲୀ ଏନସିଆର ସହ ୨୦ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ସିବିଆଇ ରେଡ୍ ନେଇ ସୂଚନା ଦେଇଛନ୍ତି ନିଜେ ମନୀଷ ସିସୋଦିଆ । ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନ ସେ ସ୍ୱାଗତ କରିଛନ୍ତି । ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯିଏ ଭଲ କାମ କରେ ତା’ ବିରୋଧରେ ଏପରି ଷଡ଼ଯନ୍ତ୍ର ହୁଏ ।

ଆମେ ଦିଲ୍ଲୀ ପାଇଁ ନିଷ୍ଠାର ସହ କାମ କରୁଛୁ । ଏଠିକାର ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ଗଢ଼ୁଛୁ । ହେଲେ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଆମେ ଦେଶରେ ଯିଏ ଭଲ କାମ କରେ ତାକୁ ଏପରି ହଇରାଣ କରାଯାଏ । ଏଥିପାଇଁ ଆମ ଦେଶ ୧ ନମ୍ବର ହୋଇପାରୁନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି ମନୀଷ ସିସୋଦିଆ । ଦିଲ୍ଲୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁଠାରୁ ଭଲ ଭାବରେ କାମ କରୁଛି । ହେଲେ କିଛି ସ୍ୱାର୍ଥନ୍ୱେଷୀ ଲୋକ ଦିଲ୍ଲୀର ଏପରି ବିକାଶକୁ ସହି ପାରୁନାହାନ୍ତି । ଏଥିପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଛି । ହେଲେ କୋର୍ଟରେ ସବୁ ସତ ସାମ୍ନାକୁ ଆସିବ ବୋଲି ସିସୋଦିଆ କହିଛନ୍ତି ।