ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ଅଧିକାରୀଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶ ସମୀର ୱାଙ୍ଖେଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି । ସମୀର ୱାଙ୍ଖେଡେ ୨୦୨୧ରେ ମୁମ୍ବାଇରେ କାର୍ଡିଲିୟା କ୍ରୁଜ ଜାହଜରେ ବିବାଦସ୍ପଦ ରେଡର ନେତୃତ୍ୱ ନେଇଥିଲେ ଏବଂ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ସମେତ ଅନ୍ୟମାନଙ୍କୁ ଗିରଫ କରିଥିଲେ । ଆଜି ସିବିଆଇ ଦିଲ୍ଲୀ, ମୁମ୍ବାଇ, କାନପୁର ଏବଂ ରାଞ୍ଚିରେ ୱାଙ୍ଖେଡେଙ୍କ ଘର ସହ ଅନ୍ୟ ୨୮ ଟି ସ୍ଥାନରେ ରେଡ୍ କରିଛି । ଏନସିବି ଲାଞ୍ଚ ମାମଲାରେ ୱାଙ୍ଖେଡେ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଥିଲା ।

ଗତବର୍ଷ ୱାଙ୍ଖେଡେଙ୍କ ବିରୋଧରେ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଏନସିବିରୁ ତାଙ୍କୁ ବାହାର କରାଯାଇଥିଲା ଏବଂ ଚେନ୍ନାଇ ସ୍ଥିତ ଡିଜି ଟ୍ୟାକ୍ସପେୟର ସର୍ଭିସ ଡିରେକ୍ଟୋରେଟକୁ ବଦଳି କରାଯାଇଥିଲା । ଗତ ସପ୍ତାହରେ ଏନିସିବି ଜଣେ ପୋଲିସ ଅଧୀକ୍ଷକ ରାଙ୍କର ଅଧିକାରୀ ବିଶ୍ୱ ବିଜୟ ସିଂହଙ୍କୁ କାର୍ଯ୍ୟରୁ ବାହାର କରିଥିଲା । ୱାଙ୍ଖେଡେ ଜଣେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ୍) ଅଧିକାରୀ ଅଟନ୍ତି । ତାଙ୍କ ନେତୃତ୍ୱରେ ୨୦୨୧ରେ ଏନସିବି ଏକ ଜାହଜରୁ ୧୩ ଗ୍ରାମ କୋକିନ, ପାଞ୍ଚଗ୍ରାମ ମେଫେଡ୍ରୋନ, ୨୧ ଗ୍ରାମ ମାରିଜୁଆନା, ଏମଡିଏମଏର ୨୨ ଗୁଳି ଏବଂ ୧.୩୩ ଲକ୍ଷ ନଗଦ ଜବତ କରିବା ନେଇ ଦାବି କରାଯାଇଥିଲା ।

ଏଜେନ୍ସି ୧୪ ଜଣଙ୍କୁ ଧରିଥିଲା ଏବଂ ଜେରା ପରେ ୩ ଅକ୍ଟୋବରରେ ଆର୍ଯ୍ୟନ ଖାନ, ଅରବାଦ ମର୍ଚ୍ଚାଣ୍ଟ ଏବଂ ମନମୁମ ଧମେଚାଙ୍କୁ ଗିରଫ କରିଥିଲା । ଏହାପରେ ଏଜେନ୍ସି ରେଡ୍ ସମ୍ବନ୍ଧରେ ଆଉ ଅନ୍ୟ ୧୭ ଜଣଙ୍କୁ ଗିରଫ କରିଥିଲା । ହ୍ୱାଟ୍ସଆପ୍ ଚାଟ୍ ଆଧାରରେ ୱାଙ୍ଖେଡେଙ୍କ ଟିମ୍ ଦାବି କରିଥିଲା ଯେ ଅଭିଯୁକ୍ତମାନେ ଏକ ବଡ଼ ଷଡଯନ୍ତ୍ରର ଅଂଶ ଥିଲେ । ଆର୍ଯ୍ୟନ ଖାନଙ୍କୁ ୨୨ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା । କିନ୍ତୁ ୨୦୨୨ ମେ’ ମାସରେ ପୂରା ମାମଲାରେ ଏନସିବି ଆର୍ଯ୍ୟନଙ୍କୁ କ୍ଲିନଚିଟ୍‌ ଦେଇଥିଲା । ତାଙ୍କ ବିରୋଧରେ ସମୀର ୱାଙ୍ଖେଡେ ଯେଉଁସବୁ ଦାବି କରିଥିଲେ, ତା’ର ପ୍ରମାଣ ତଦନ୍ତ ବେଳେ ମିଳି ନଥିଲା । ଏସବୁ ଭିତରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। ସେ ଆର୍ଯ୍ୟନଙ୍କ ବିରୋଧରେ ଚାର୍ଜ ଫ୍ରେମ ନ କରିବାକୁ ୨୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା ।