ସିବିଆଇ ଜାଲରେ ଇଡି ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: ସିବିଆଇ ଜାଲରେ ଇଡି ଅଧିକାରୀ । ଲାଞ୍ଚ ନେବା ବେଳେ ଇଡିର ଡେପୁଟି ଡାଇରେକ୍ଟର ନିନ୍ତନ ରଘୁବଂଶୀଙ୍କୁ ମାଡ଼ି ବସିଲା ସିବିଆଇ। ସୂଚନା ମୁତାବକ, ଢ଼େଙ୍କାନାଳର ଜଣେ ଖଣି ବ୍ୟବସାୟୀଙ୍କ ଅନିୟମିତତା ନେଇ ଗତ ଜାନୁଆରୀ ୮ ଓ ୯ ତାରିଖରେ ଖଣି ଅଞ୍ଚଳ ସମେତ ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ହୋଇଥିଲା। ରେଡ ବେଳେ ଖଣିଜ କାରବାରରେ ଅନିୟମିତତା ଥିବା ନେଇ ପ୍ରମାଣ ମିଳିଥିଲା। ଏହାକୁ ରଫାଦଫା କରିବା ପାଇଁ ଖଣି ଲିଜଧାରୀଙ୍କୁ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ମୋଟା ଅଙ୍କର ଟଙ୍କା ମାଗିଥିଲେ। ସେଥିରୁ କିଛି କମାଇ ମାମଲା ରଫାଦଫା କରିବାକୁ ଡିଲ ଫାଇନାଲ ହୋଇଥିଲା। ଆଜି ଖଣି ଲିଜଧାରୀ ମଧ୍ୟସ୍ଥିଙ୍କ ଜରିଆରେ ଅଗ୍ରୀମ ଆକାରରେ ୨୦ ଲକ୍ଷ ଟଙ୍କା ନଗଦ ଦେଉଥିବା ବେଳେ, କୌଣସି ସୂତ୍ରରୁ ଖବର ପାଇ ସିବିଆଇ ତାଙ୍କୁ କାବୁ କରିଛି। ଏବେ ସିବିଆଇ କାର୍ଯ୍ୟାଳୟରେ ଖଣି ମାଲିକ, ଇଡିର ଡେପୁଟି ଡାଇରେକ୍ଟର ଓ ମଧ୍ୟସ୍ଥିଙ୍କୁ ପଚରାଉଚରା କରାଯାଉଛି।