ନିଯୁକ୍ତି ଅନିୟମିତତା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସକୁ ଘାଣ୍ଟିଲା ସିବିଆଇ

ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ପଶିଲା ସିବିଆଇ ଟିମ୍ । ଚାକିରି କେଳେଙ୍କାରୀ ଅଭିଯୋଗରେ ସିବିଆଇର ୯ ଜଣିଆ ଟିମର ଛାପାମାର । ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ହୋଇଛି ବଡ଼ କେଳେଙ୍କାରୀ । ଦୀର୍ଘ ୭ ଘଣ୍ଟାର ରେଡ଼ ବେଳେ ୨୭ ଜଣଙ୍କୁ ଜେରା । ଜବତ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ଡିଜିଟାଲ ଡିଭାଇସ ।

ଭୁନେଶ୍ବର ଏମ୍ସରେ ଚାକିରି ପ୍ରଦାନରେ ଘୋଟାଲା ଓ ପୁଳା ପୁଳା ପ୍ରମାଣ ପରେ ଆକ୍ସନ ମୋଡରେ ସିବିଆଇ । ସିବିଆଇ ପାଖରେ ପିଟିସନ ପଡିବା ପରେ ଆରମ୍ଭ ହୋଇଛି ଚଢ଼ାଉ । ଏମ୍ସ ଏକାଡେମୀକ ବ୍ଲକରେ ଭୁବନେଶ୍ୱର ସିବିଆଇର ୯ ଜଣିଆ ଟିମ ଆରମ୍ଭ କରିଛି ଛାନଭିନ ।

ଅଭିଯୋଗ ମୁତାବକ ସର୍ବଭାରତୀୟ ସ୍ତରରେ ଏମ୍ସ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍ସରେ ହୋଇଛି ନିଯୁକ୍ତି ପ୍ରକ୍ରିୟାର ଉଲ୍ଲଂଘନ । ଓଡ଼ିଶାର ଗୋଟିଏ ପରିବାରର ୪ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଠିକା ନିଯୁକ୍ତି ପାଇଥିବା ଏହି କର୍ମଚାରୀ କିଭଳି ସ୍ଥାୟୀ ହେଲେ ତାକୁ ନେଇ ଉଠିଥିଲା ପ୍ରଶ୍ନ । ଏପରିକି ଚୟନ ପ୍ରକ୍ରିୟାରେ ଯୋଗ୍ୟତା ଓ ଦକ୍ଷତାର ଧଜ୍ଜିଆ ଉଡି଼ଥିବା ନେଇ ପିଟିସନ ପଡିବା ପରେ ଆଜି ସକାଳ ୭ରୁ ଚଢ଼ାଉ ଆରମ୍ଭ କରିଥିଲା ସିବିଆଇ ଟିମ ।

ସିବିଆଇର ତଦନ୍ତ ବେଳେ ମୋଟ ୨୭ ଜଣ ଜେରାର ସମ୍ମୁଖୀନ ହୋଇଛନ୍ତି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୩ ଜୁଲାଇ ୧ ତାରିଖରେ ସାନିଟାରୀ ଇନ୍ସପେକ୍ଟର ରେକର୍ଡ ଆସିଷ୍ଟାଣ୍ଟ ପାଇଁ ସାରା ଦେଶରେ ୭ ଶହ ପୋଷ୍ଟ ବାହାରିଥିଲା । ଓଡ଼ିଶାର କିଛି ପିଲା ସେଥିପାଇଁ ଆବେଦନ କରିଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ପିଲାଙ୍କ ବଦଳରେ ପୂର୍ବରୁ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି । ସ୍ମୃତି ସାଗର କର ନାମକ ଜଣେ ବ୍ୟକ୍ତିଙ୍କ ପରିବାରର ୪ ଜଣ ସ୍ଥାୟୀ ନିଯୁକ୍ତି ପାଇବା ନେଇ ପିଟିସନ ପଡିବା ପରେ ଜେରା କରିଛି ସିବିଆଇ । ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଡିଜିଟାଲ ଡିଭାଇସ ସିବିଆଇ ହାତରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ସେହି କରିତକର୍ମା ? ଚାକିରି କେଲେଙ୍କାରୀରେ ହୋଇଛି କେତେ କୋଟିର କାରବାର ? ଏ ନେଇ ଏମ୍ସ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନି ।