ଭୁବନେଶ୍ଵରରେ ସିବିଆଇ ରେଡ୍, ଦାମୀ ଗାଡ଼ିରୁ ମିଳିଛି ବିପୁଳ ଟଙ୍କା

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ସିବିଆଇ ରେଡ୍। ମେ’ ଫେୟାର ହୋଟେଲ ସମ୍ମୁଖରେ ଥିବା ଏକ ଦାମୀ କାରରୁ ବିପୁଳ ଟଙ୍କା ଜବତ କରିଛି ସିବିଆଇ। ସୂଚନା ଅନୁଯାୟୀ, ଅଟୋରେ ଆସିଥିଲେ ସିବିଆଇ ଟିମ । ବିଶେଷ ସୂତ୍ରରୁ ଖବର ପାଇ ସାଧା ପୋଷାକରେ ଆସି ହୋଟେଲ ମେ’ ଫେୟାର ସମ୍ନାରେ ଏକ ମର୍ସିଡିଜ କାର ଭିତରେ ଡିଲ୍ ଚାଲିଥିବା ବେଳେ ଚଢ଼ାଉ କରିଛି ସିବିଆଇ ଟିମ । ଗାଡିଟିର ନମ୍ବର ଥିଲା OD05 BV 9999 । ଏକ କନଷ୍ଟ୍ରକସନ କମ୍ପାନୀ ନାଁରେ ଗାଡିର ରେଜିଷ୍ଟ୍ରେସନ ରହିଛି । ଗାଡି ସହ ଗାଡି ମାଲିକ ଓ ଅନ୍ୟ ୩ ସହଯୋଗୀଙ୍କୁ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଛାପା ମାରୁଛି ସିବିଆଇ ସ୍ବତନ୍ତ୍ର ଟିମ୍ ।

ପ୍ରଶ୍ନ ଉଠୁଛି, ଦାମୀ ଗାଡ଼ିକୁ କେମିତି ଆସିଲା ଏତେ ଟଙ୍କା । ଟଙ୍କା ବଣ୍ତଲ ଧରି କୁଆଡ଼େ ଯାଉଥିଲେ ଏହି ବ୍ୟକ୍ତି । ଟଙ୍କାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ରାଜ୍ୟ ବାହାରର ସିବିଆଇ ଟିମ୍ ରେଡ୍ କରିଛି । କଣ୍ଟ୍ରାକ୍ଟର ଓ ଅଧିକାରୀଙ୍କ ଡିଲ୍ ବେଳେ ଏହି ଟଙ୍କା ଜବତ ହୋଇଛି । ଦୀର୍ଘଦିନ ଧରି ସିବିଆଇ ଟ୍ରାକ୍ କରୁଥିବା ସୂଚନା ମିଳିଛି । ପ୍ରାୟ ୩ ମାସ ଧରି ମାଷ୍ଟର ମାଇଣ୍ଡଙ୍କୁ ଧରିବାକୁ ଟ୍ରାକରେ ଥିଲା ସିବିଆଇ । ଜବତ ହୋଇଥିବା ଟଙ୍କା କାହାର ? କେଉଁ କାମର ଟେଣ୍ଡର ନେବା ପାଇଁ ଚାଲିଥିଲା କାରବାର ? ସିବିଆଇ ରେଡ୍ ପରେ ୪ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି ରହିଛି। ଟଙ୍କା କିଏ ନେଉଥିଲା, କୁଆଡ଼େ ନେଉଥିଲା ତାହା ଏବେ ବି ଅସ୍ପଷ୍ଟ ରହିଛି। ହୋଟେଲ ଆଗରେ ଗାଡି ମାଲିକଙ୍କୁ ଧରିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ତେଣୁ ବାଧ୍ୟହୋଇ ସିବିଆଇକୁ ସ୍ଥାନୀୟ ପୋଲିସର ସହାୟତା ନେବାକୁ ପଡିଥିଲା।