SSR Case: ତୃତୀୟ ଦିନ ରିୟାଙ୍କୁ ୯ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀ ଫସିଛନ୍ତି । ମୁମ୍ବାଇ ପୋଲିସ ଓ ଇଡିର ପଚରାଉଚରା ପରେ ଏବେ ଲଗାତାର ସିବିଆଇ ଜେରା କରୁଛି । ଘଣ୍ଟା ଘଣ୍ଟା ଧରି ରିୟାଙ୍କୁ ଜେରା କରୁଛି ସିବିଆଇ । ତିନିଦିନ ମଧ୍ୟରେ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୨୬ ଘଣ୍ଟା ପଚରାଉରଚରା କରି ସାରିଲାଣି । ଆସନ୍ତାକାଲି ସୋମବାର ପୁଣି ଥରେ ଜେରା ପାଇଁ ରିୟାଙ୍କୁ ସିବିଆଇ ସମନ ଜାରି କରିଛି ।

ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା ଆରମ୍ଭ କରିଥିଲା । ପ୍ରଥମ ଦିନ ୧୦ ଘଣ୍ଟା ଧରି ରିୟା ସିବିଆଇ ପ୍ରଶ୍ନର ଉତ୍ତର ଦେଇଥିଲେ । ତାପରେ ଶନିବାର ୭ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ରବିବାର ୯ ଘଣ୍ଟାର ପ୍ରଶ୍ନ ପରେ ରିୟାଙ୍କୁ ସୋମବାର ହାଜର ହେବା ପାଇଁ ସିବିଆଇ ନୋଟିସ୍ ଦେଇଛି । ୩ ଦିନରେ ରିୟାଙ୍କୁ ୨୬ ଘଣ୍ଟା ଧରି ଜେରା କରାଯାଇଛି । ସୋମବାର ଜେରା ପାଇଁ ଡକରା ହୋଇଥିବା ବେଳେ ପଚରାଉଚରା ସମୟ ବଢ଼ିବା ସହିତ ରିୟାଙ୍କ ଲାଗି ମୁସ୍କିଲ୍ ବଢ଼ି ବଢ଼ି ଚାଲିଛି ।

୨୬ ଘଣ୍ଟାର ଜେରା

ତିନିଦିନ ଜେରାରେ ରିୟାଙ୍କୁ ସିବିଆଇ ଅନେକ ପ୍ରଶ୍ନ ପଚାରିଛି । ରବିବାର ସିବିଆଇର ଫୋକସ୍ ଡ୍ରଗ୍ସ ଉପରେ ଥିଲା । କୁହାଯାଉଛି ସୁଶାନ୍ତଙ୍କୁ ଡ୍ରଗ୍ସର ଓଭରଡୋଜ୍ ଦେବା ନେଇ ରିୟାଙ୍କୁ ସିବିଆଇ ବାରମ୍ବାର ପଚାରିବା ସହ ୮ ଜୁନକୁ ସୁଶାନ୍ତଙ୍କ ଘର କାହିଁକି ଛାଡ଼ିଲ ବୋଲି ପ୍ରଶ୍ନ କରିଛି । ତେବେ, ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା ବେଳେ ରିୟା କାହିଁକି ତାଙ୍କୁ ଛାଡ଼ିକରି ପଳାଇଥିଲେ ?

ରିୟାଙ୍କୁ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସିବିଆଇ କେତକ ପ୍ରଶ୍ନ କରିଛି । ଯେମିତି କି ରିୟା କେବେ ଜାଣିବାକୁ ପାଇଥିଲେ କି ସୁଶାନ୍ତ କେବେ ମାନସିକ ଚାପରେ ଥିବା ଜାଣିବାକୁ ପାଇଲେ ? ସୁଶାନ୍ତ କେବେ ପ୍ରଥମଥର ଡାକ୍ତରଙ୍କୁ ଦେଖାଇଥିଲେ । ସୁଶାନ୍ତଙ୍କୁ ଔଷଧ କିଏ ଦେଉଥିଲା । କାହିଁକି ସୁଶାନ୍ତଙ୍କ ଡାକ୍ତରଙ୍କୁ ବାରମ୍ବାର ପରିବର୍ତ୍ତନ କରାଯାଉଥିଲା । ତିନିଦିନ ମଧ୍ୟରେ ସିବିଆଇ ଏମିତି ପ୍ରଶ୍ନର ଚକ୍ରବ୍ୟୁହରେ ରିୟାଙ୍କୁ ଛନ୍ଦି ଚାଲିଥିବା ବେଳେ ରିୟା ନିଜ ବୟାନର କେତେ କାୟମ ରହିଛନ୍ତି ତାହା ଦେଖିବାର କଥା ।

Leave a Reply