ଆକ୍ସନ ମୋଡରେ ସିବିଆଇ, ରାଜ୍ୟ ବାହାରେ ଟ୍ରାଏଲ ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ରର ଅପିଲ

ଇମ୍ଫାଲ: ମଣିପୁର ହିଂସା ମାମଲାରେ ଆକ୍ସନ୍ ମୋଡରେ ସିବିଆଇ । ହିଂସା ଓ ଷଡ଼ଯନ୍ତ୍ର ସଂପର୍କିତ ୬ଟି ଏଫଆଇଆର ରୁଜୁ କରିଛି ସିବିଆଇ । ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ତଦନ୍ତକାରୀ ସଂସ୍ଥା। ଭାଇରାଲ୍ ଭିଡିଓ ମାମଲାରେ ସିବିଆଇ ଆଉ ଏକ ନୂଆ ଏଫଆଇଆର ରୁଜୁ କରିବ । ମଣିପୁର ହିଂସା ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିସହ ମାମଲାର ବିଚାର ମଣିପୁର ବାହାରେ କରିବା ପାଇଁ ଅନୁମତି ଦେବାକୁ ଆବେଦନ କରିଛି । ଏନେଇ କେନ୍ଦ୍ର ଗୃହ ସଚିବ ଆଜି ସର୍ବୋଚ୍ଚ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ମାମଲାର ଫାଷ୍ଟଟ୍ରାକ୍ ବିଚାର ପାଇଁ କୋର୍ଟରେ ଆବେଦନ କରାଯାଇଛି ।

ଚାର୍ଜସିଟ୍ ଦାଖଲ କରିବାର ୬ ମାସ ମଧ୍ଯରେ ମାମଲାର ବିଚାର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର କୋର୍ଟଙ୍କୁ ନିବେଦନ କରିଛି । ହିଂସା ପ୍ରଭାବିତ ଲୋକଙ୍କ ପୁନଃଥଇଥାନ ନେଇ ମଣିପୁର ସରକାର ନେଉଥିବା ପଦକ୍ଷେପ ସଂପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ଗତକାଲି ସକାଳେ ବିଷ୍ଣୁପୁର ଚୁରାଚନ୍ଦନପୁର ଅଞ୍ଚଳରେ ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି । ଗୋଟିଏ ଘରକୁ ମଧ୍ୟ ଦୁର୍ବୃତ୍ତ ଜାଳିଦେଇଛନ୍ତି । ଏହାପରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ । ଗୁଳି ବିନିମୟ ବିଳମ୍ବିତ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା ।