ଲିକର ସ୍କାମରେ ଲକର ଯାଞ୍ଚ, ନିଜକୁ କ୍ଲିନ ଚିଟ୍‌ ଦେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ସିସୋସିଆଙ୍କ ଲକର ଯାଞ୍ଚ ଶେଷ । ଲିକର ସ୍କାମ ମାମଲାରେ ଯାଞ୍ଚ ପରେ ନିଜକୁ କ୍ଲିନ ଚିଟ୍ ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଘରେ ଯାଞ୍ଚ ବେଳେ ସିବିଆଇକୁ କିଛି ମିଳି ନଥିବା ବେଳେ ଲକର ଯାଞ୍ଚରେ ବି ସିବିଆଇ ଟିମକୁ ଖାଲି ହାତରେ ଫେରିବାକୁ ପଡ଼ିଛି ବୋଲି ସିସୋଦିଆ କହିଛନ୍ତି । ମୁଁ ଓ ପରିବାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲୁ । ସତ୍ୟର ସବୁବେଳେ ଜୟ ବୋଲି ସିସୋଦିଆ ଗଣମାଧ୍ୟମକୁ କହିଛନ୍ତି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କରିଥିବା ବେଳେ ଆଜି ତାଙ୍କ ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲା । ଗାଜିଆବାଦ ସେକ୍ଟର ୪ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଲକର ଯାଞ୍ଚ କରିଥିଲା ଟିମ୍ । ଦିଲ୍ଲୀରେ ଲାଗୁ ହୋଇଥିବା ଅବକାରୀ ନୀତିକୁ ବିରୋଧ କରି ଦାଏର ମାମଲାରେ ଅଭିଯୁକ୍ତ ରହିଛନ୍ତି ସିସୋଦିଆ ।

ଏହି ମାମଲାରେ ପୂର୍ବରୁ ଅବକାରୀ କମିସନରଙ୍କ ଆବାସ ସମେତ ୨୧ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ଉପରାଜ୍ୟପାଳଙ୍କ ବିନା ଅନୁମତିରେ ନୂଆ ନୀତି ଲାଗୁ କରାଯାଇଥିବା ବେଳେ ଏଥିରେ ଅନେକ ଅଯୋଗ୍ୟଙ୍କୁ ଲାଇସେନ୍ସ ଦିଆଯାଇଥିବା ଜାଣିପାରିଛି । ଦିଲ୍ଲୀରେ ଲାଗୁ ହୋଇଥିବା ଅବକାରୀ ନୀତିକୁ ବିରୋଧ କରି ସିବିଆଇ ଯାଞ୍ଚ କରିବାକୁ ଦାବି କରିଥିଲେ ଉପରାଜ୍ୟପାଳ । ସେପଟେ ଉପରାଜ୍ୟପାଳଙ୍କ ଇସ୍ତଫା ଦାବି କରି ଆପ୍ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।