ବଢିଲା ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ, ଆଜି ମଧ୍ୟ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ରେଡ୍

ଭୁବନେଶ୍ଵର :  * ପାୱାର କରିଡରରେ ପାୱାରଫୁଲ ବାବୁଙ୍କୁ ନେଇ ଚର୍ଚ୍ଚା
* ଲାଞ୍ଚ ନେଉଥିଲେ କି ସରକାରୀ ବାବୁ ?
* ବଢ଼ିଲା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ
* ତାଙ୍କ ବିରୋଧରେ ଅନେକ ପ୍ରମାଣ ପାଇଛି ସିବିଆଇ ?

ଅଭିଯୋଗ ଅନୁସାରେ ଏସସି ଏସଟି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସରକାରୀ ଆବାସିକ ଆଶ୍ରମ ସ୍କୁଲର ଉନ୍ନତିକରଣ ପାଇଁ ଟେଣ୍ଡର କରୁନଥିଲେ । କେନ୍ଦ୍ର ସରକାରଙ୍କ କିଛି ରାଷ୍ଟ୍ରାୟତ୍ତ ସଂସ୍ଥାକୁ ଏହି କାମ ଦିଆଯାଉଥିଲା । ଆଇନର ଗଳା ବାଟ ଦେଇ ଏହି କାମକୁ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ରିଏଲ ଇଷ୍ଟେଟ୍ ସଂସ୍ଥା କରୁଥିଲେ। କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥା କେବଳ ଥିଲା ଏକ ମାଧ୍ୟମ। ସିବିଆଇ ଏହାର ପକ୍କା ପ୍ରମାଣ ପାଇଥିବା କୁହାଯାଉଛି। ତେଣୁ ବିଷ୍ଣୁପଦ ସେଠୀଙ୍କୁ ସମନ୍ କରାଯାଇଛି। ସମନ୍ ତତ୍ତ୍ଵେ ସିବିଆଇରେ ହାଜର ହୋଇ ନାହାନ୍ତି ଏହି ବରିଷ୍ଠ ପ୍ରଶାସକ। ତେଣୁ ତାଙ୍କ ପାଇଁ ବିପଦ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ସେପଟେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନିରେ ଆଜି ମଧ୍ୟ ରେଡ୍ କରିଛି ସିବିଆଇ । ଆୟକର ବିଭାଗର ସହାୟତାରେ ଏହି ଛାପା ମରାଯାଇଥିଲା। ଗତ ୯ ତାରିଖରେ ଭୁବନେଶ୍ଵର ଜୟଦେବ ବିହାର ଅଞ୍ଚଳରେ ରେଡ୍ କରି ଏହି କମ୍ପାନିର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କୁ ଗିରଫ କରିଥିଲା ସିବିଆଇ । ସେପଟେ ଆଜି ସିବିଆଇରେ ହାଜର ହୋଇଛନ୍ତି ଏକ ତାରକା ହୋଟେଲର ଗ୍ରୁପ୍ ରିଜିଓନାଲ ମ୍ୟାନେଜର। ସେହି ତାରକା ହୋଟେଲରେ ଡିଲ୍ ହେଉଥିଲା ବୋଲି ସିବିଆଇକୁ ସୁରାଗ ମିଳିଛି ।

ଗତ ୯ ତାରିଖ ସୋମବାର ରାତିରେ ଭୁବନେଶ୍ଵରର ଜୟଦେବ ବିହାର ଅଞ୍ଚଳରେ ରେଡ୍ କରିଥିଲା ସିବିଆଇ। କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ, ଆଦିତ୍ୟଦେବ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡର ମୁଖ୍ୟ ଦେବଦତ୍ତ ମହାପାତ୍ର ଓ ପେଣ୍ଟାଏ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡର ମୁଖ୍ୟ ସନ୍ତୋଷ ମହାରଣାଙ୍କୁ ଗିରଫ କରିଥିଲା। ଏହା ପରେ ପଦାକୁ ଆସିଛି ବିଷ୍ଣୁପଦ ସେଠୀଙ୍କ ଗୁମର । ଦୁର୍ନୀତିରେ ତାଙ୍କର ସଂପୃକ୍ତି ଥିବାର ପ୍ରମାଣ ମିଳିଥିବା କୁହାଯାଉଛି । ଅଭିଯୋଗ ଅନୁସାରେ ବିନା ଟେଣ୍ଡରରେ ପ୍ରଥମେ କେନ୍ଦ୍ରୀୟ ପିଏସୟୁକୁ ଦିଆଯାଉଥିଲା କାମ । ପରେ ସେହି କାମକୁ ସବ୍ ଲେଟ୍ ଜରିଆରେ କେନ୍ଦ୍ରୀୟ ପିଏସୟୁରୁ ନେଉଥିଲେ ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ ସଂସ୍ଥା। ଏଥିପାଇଁ ହେଉଥିଲା ସୁଚିନ୍ତିତ ଯୋଜନା। ଗତ ଅକ୍ଟୋବର ୧୯ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ବିଷ୍ଣୁପଦ ସେଠୀ ୪ ଟି କେନ୍ଦ୍ରୀୟ ପିଏସୟୁ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖିଥିଲେ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ କରିବାକୁ ଅବଗତ କରିଥିଲେ। ୩୬୧କୋଟି ଟଙ୍କାର କାର୍ଯ୍ୟ କରିବା ନିମନ୍ତେ ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ କରି ବିଭାଗରେ ଦାଖଲ ନିମନ୍ତେ ଏହି ୪ ସଂସ୍ଥାକୁ କହିଥିଲେ।

ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା ଯାହାର ଇଞ୍ଜିନିୟର ଟିମ୍, ଜ୍ଞାନକୌଶଳ ଓ ଭିତ୍ତିଭୂମି ରହିଛି, ସେମାନଙ୍କୁ ଏଡ଼ାଇ ଯାଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ପିଏସୟୁକୁ କାର୍ଯ୍ୟ କରିବା ନିମନ୍ତେ କାହିଁକି ବାଛିଥିଲେ ବିଷ୍ଣୁପଦ ସେଠୀ । କାହା ନିର୍ଦ୍ଦେଶରେ ବିନା ଟେଣ୍ଡରରେ ଏହି କାମ ସଂପୃକ୍ତ ସଂସ୍ଥାକୁ ଦିଆଯାଉଥିଲା ।

 

ନଜର ପକାନ୍ତୁ