ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ ଅଫିସର ସାରା ଶର୍ମା ହେଲେ ସିବିଆଇ ଡିଆଇଜି । ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାରା ଶର୍ମାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବେ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ୨୦୧୦ ବ୍ଯାଚ୍ ଓଡ଼ିଶା କ୍ଯାଡର ଆଇପିଏସ ଅଫିସର ସାରା ଶର୍ମାଙ୍କୁ ସିବିଆଇର ଡିଆଇଜି ଭାବେ ନିଯୁକ୍ତି ମିଳିଛି ।

ଗୃହ ମନ୍ତ୍ରଣାଳୟ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏହି ଅନୁମୋଦନ ପ୍ରଦାନ କରି ସାରା ଶର୍ମାଙ୍କୁ କେନ୍ଦ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ତୁରନ୍ତ ରିଲିଫ୍ ଦେବାକୁ ଅନୁରୋଧ କରିଛି । ମାର୍ଚ୍ଚ ୧୨ ତାରିଖର ଏହି ସରକାରୀ ଚିଠିରେ ତାଙ୍କ କେନ୍ଦ୍ରୀୟ ଡେପୁଟେସନକୁ ଆନୁଷ୍ଠାନିକ ରୂପ ଦିଆଯାଇଛି। ମଣିପୁରରେ ଜାତିଗତ ହିଂସାର ସିବିଆଇ ତଦନ୍ତ ସମୟରେ ସାରା ଶର୍ମାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଟିମର ଏକ ଅଂଶ ଭାବରେ ସେ ତଦନ୍ତରେ ନିଜର ଦକ୍ଷତା ଏବଂ ବୁଦ୍ଧି ପ୍ରଦାନ କରିଥିଲେ । ଏହି ନିଯୁକ୍ତି ପୂର୍ବରୁ ସେ ସମ୍ବଲପୁରରେ ପୁଲିସ ଅଧୀକ୍ଷକ (ଭିଜିଲାନ୍ସ) ପଦବୀରେ ରହିଥିଲେ

ସୂଚନା ଅନୁଯାୟୀ ତାଙ୍କୁ ୫ ବର୍ଷ ପାଇଁ ଡିଆଇଜି ପଦବୀରେ ନିଯୁକ୍ତି ମିଳିଛି । ଏଥିସହିତ ଆଉ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଯେଉଁଥିରେ ଡିଆଇଜି ପି ମୁରୁଗନଙ୍କ କାର୍ଯ୍ୟ ଅବଧି ୧୫ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବଢାଯାଇଛି । ଅନ୍ୟପକ୍ଷେ କେନ୍ଦ୍ରୀୟ ଏଜେନ୍ସିର ସିବିଆଇର ପୋଲିସ ଅଧ୍ୟକ୍ଷ ବିଧ୍ରୁତ ବିକାଶଙ୍କ କାର୍ଯ୍ୟ ଅବଧି ମଧ୍ୟ ୨୦୨୫ ଫେବୃଆରୀ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।