ନିଟ୍ ପେପର ଲିକ୍ ମାମଲାର ସିବିଆଇ ତଦନ୍ତ ଆରମ୍ଭ

1 min read

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ୟୁଜି ପେପର ଲିକ୍ ମାମଲାରେ ସିବିଆଇର ତଦନ୍ତ ଆରମ୍ଭ । ରୁଜୁ ହେଲା ପ୍ରଥମ ଏଫଆଇଆର । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ଅନୁସାରେ ସିବିଆଇ ଅଜ୍ଞାତ ବ୍ଯକ୍ତିଙ୍କ ନାଁରେ  ନୂଆ ମାମଲା ରୁଜୁ କରିଛି । ସେପଟେ ପେପର ଲିକ୍ ମାମଲାରେ ବିହାର, ଝାଡଖଣ୍ଡ, ଗୁଜରାଟ ଓ ମହାରାଷ୍ଟ୍ରରେ ଅନେକ ଲୋକଙ୍କୁ ଗିରଫ କରିଥିଲା ସେଠାକାର ପୋଲିସ ।

ବିହାର ପୋଲିସର ଆର୍ଥିକ କ୍ରାଇମ ୟୁନିଟ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଛି । ଗୁଜରାଟ ପୋଲିସ ୬ ଜଣଙ୍କୁ ଅଧିକ ଲୋକଙ୍କୁ ଗିରଫ କରିଛି । ସେହିପରି ଝାଡଖଣ୍ଡରେ ମଧ୍ଯ ୬ ଜଣ ଗିରଫ ହୋଇଛନ୍ତି ।

ସେପଟେ ନିଟ୍ ପରୀକ୍ଷାରେ ଗ୍ରେସ ମାର୍କ ପାଇଥିଲା ଛାତ୍ରଛାତ୍ରୀ ଆଜି ଆଉ ଥରେ ପରୀକ୍ଷା ଦେଇଛନ୍ତି । ଏନଟିଏ ପରିଚାଳିତ ନିଟ ୟୁଜିର ରିଟେଷ୍ଟ ହୋଇଛି । ୫ ମେ’ରେ ହୋଇଥିବା ପରୀକ୍ଷାରେ ଲସ୍ ଅଫ ଟାଇମ କାରଣରୁ ଯେଉଁ ୧୫୬୩ ପରୀକ୍ଷାର୍ଥୀଙ୍କୁ ଗ୍ରେସମାର୍କ ଦିଆଯାଇଥିଲା । ସେମାନଙ୍କ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଛତିଶଗଡ଼ରେ ୧୮୫ ଛାତ୍ରଙ୍କ ଲାଗି ପରୀକ୍ଷା ଆୟୋଜନ ହୋଇଥିଲା । ସେମାନଙ୍କ ମଧ୍ୟରୁ ୭୦ ଜଣ ଅନୁପସ୍ଥିତ ଥିଲେ । ଚଣ୍ଡୀଗଡର ଗୋଟିଏ କେନ୍ଦ୍ରରେ ମାତ୍ର ୨ ଜଣ ପରୀକ୍ଷାର୍ଥୀ ଲାଗି କେନ୍ଦ୍ର ହୋଇଥିଲା, ହେଲେ ସେମାନଙ୍କ ମଧ୍ୟରୁ ଜଣେ ବି ପରୀକ୍ଷା ଦେଇନାହାନ୍ତି । ଏସବୁ ପରୀକ୍ଷା କେନ୍ଦ୍ରରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି ଓ ଶିକ୍ଷା ମନ୍ତ୍ରାଳୟର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଗତ ଜୁନ ୧୩ ତାରିଖରେ ସୁପ୍ରିମକୋର୍ଟ ନିକଟରେ ଏନଟିଏ ଦର୍ଶାଇଥିଲା, ଲସ୍ ଅଫ ଟାଇମ କାରଣରୁ ଯେଉଁ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସମାର୍କ ଦିଆଯାଇଥିଲା ତାହାକୁ ପ୍ରତ୍ୟାହାର କରି ନିଆଯାଇଛି । ମେ’ ୫ ତାରିଖରେ ହୋଇଥିବା ନିଟ-ୟୁଜିର ଫଳ ପ୍ରକାଶ ଲାଗି ଜୁନ ୧୪ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହା ପୂର୍ବରୁ ଅର୍ଥାତ ଜୁନ ୪ରେ ଫଳ ଘୋଷିତ ହୋଇଥିଲା । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୭ ଜଣ ୭୨୦ରୁ ୭୨୦ ରଖିଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।