ବାହାନଗା ଟ୍ରେନ ଟ୍ରାଜେଡି: ରେଳ ମନ୍ତ୍ରାଳୟର ଆବେଦନ ଆଧାରରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି । ରେଳ ମନ୍ତ୍ରାଳୟର ଆବେଦନ ଆଧାରରେ ମାମଲା ରୁଜୁ କଲା ସିବିଆଇ । ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ତଦନ୍ତ ଭାର ନେଇଛି ସିବିଆଇ । ଘଟଣାକୁ ନେଇ ପୂର୍ବରୁ ବାଲେଶ୍ବର ଜିଆରପି ଥାନାରେ ମାମଲା ରୁଜୁ ହୋଇଥିଲା । ସକାଳୁ ବାହାନଗା ଷ୍ଟେସନରେ ସିବିଆଇର ୧୦ ଜଣିଆ ଟିମ୍ ଛାନବିନ୍ କରିଥିଲା ।

ଦୁର୍ଘଟଣା ସ୍ଥଳ ସହ ଷ୍ଟେସନରେ ସରଜମିନ ଅନୁଧ୍ୟାନ କରିଥିଲା । ଷ୍ଟେସନ ମ୍ୟାନେଜରଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ପଚରାଉଚରା କରାଯାଇଥିଲା । ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି । କେମିତି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ଦୁର୍ଘଟଣା ହେଲା, ସେନେଇ ତଥ୍ୟ ନେଇଛନ୍ତି ସିବିଆଇ ଟିମ୍ । ଅପରେଟିଂ ସିଷ୍ଟମରେ ସମସ୍ୟା ଥିଲା କି, ସେ ସବୁର ଯାଞ୍ଚ ହୋଇଛି । ଷ୍ଟେସନର ସିଗନାଲ ରୁମ୍‌ରେ କରାଯାଇଛି ଛାନବିନ ।

ଏହାପରେ ଷ୍ଟେସନରେ ଥିବା ରିଲେ ରୁମରେ ମଧ୍ୟ ତଦନ୍ତ କରାଯାଇଛି । ଦୁର୍ଘଟଣା ଦିନ କିଭଳି ଭାବେ ଏହି ରୁମରେ ପରିଚାଳନା କରାଯାଇଥିଲା । କେଉଁମାନେ ସେଦିନ ଉପସ୍ଥିତ ଥିଲେ, କେଉଁମାନେ ଅପରେଟ୍ କରୁଥିଲେ । ସେନେଇ ଟିକିନିଖି ତଥ୍ୟ ନେବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ୍ । ଦୁର୍ଘଟଣା ପଛରେ ଅପରାଧିକ ଷଡ଼ଯନ୍ତ୍ର ରହିଛି କି ? ସେସବୁର ତଦନ୍ତ କରୁଛନ୍ତି ସିବିଆଇ ଟିମ୍ ।