ନିଟ୍ ପେପର ଲିକ୍ ମାମଲାରେ ଆଉ ଜଣେ ଗିରଫ

1 min read

ନୂଆଦିଲ୍ଲୀ : ନିଟ୍ ପେପର୍ ଲିକ୍ ମାମଲାରେ ଦିନକୁ ଦିନ ଧରା ପଡୁଛନ୍ତି ଜଣକ ପରେ ଜଣେ ଅଭିଯୁକ୍ତ। ଏହି ମାମଲାରେ ଏବେ ସିବିଆଇ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସଲଭର୍ ତଥା ସମାଧାନକାରୀ। ଶନିବାର ସିବିଆଇ ଭିଲଓ୍ୱାଡା ସ୍ଥିତ ମେଡିକାଲ କଲେଜରେ ଏମ୍ବିବିଏସ୍ ପଢ଼ୁଥିବା ସନ୍ଦୀପକୁ ପଚରାଉଚରା କରିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଏଠାରେ କୋର୍ଟ ସନ୍ଦୀପଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି।

ସନ୍ଦୀପଙ୍କ ପୂର୍ବରୁ ସିବିଆଇ ରାଜସ୍ଥାନରୁ କୁମାର ମଙ୍ଗଲମ ବିଷ୍ଣୁ ଏବଂ ଦୀପେନ୍ଦ୍ର ଶର୍ମାଙ୍କୁ ଗିରଫ କରିଥିଲା।ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପାଟନା AIIMS ର ଚାରିଜଣ ଛାତ୍ରଙ୍କ ସମେତ ସମାଧାନକାରୀ ଭାବରେ କାର୍ଯ୍ୟ କରିଥିବା ମୋଟ ୯ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି।ନିଟ୍ ପେପର୍ ଲିକ୍ ମାମଲାରେ ଗୁରୁବାର ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଚାର୍ଜସିଟରେ ୧୩ ଜଣଙ୍କ ନାଁ ଦେଇଛି ସିବିଆଇ। ଚାରିଜଣ ପ୍ରାର୍ଥୀ, ଜଣେ ଜୁନିୟର ଇଞ୍ଜିନିୟର ଏବଂ ଦୁଇ କିଙ୍ଗପିନଙ୍କ ନାମ ରହିଛି। ଏହି ଘଟଣାରେ କିଛି ଛାତ୍ରଙ୍କ ବାପା-ମା’ଙ୍କ ନାମ ମଧ୍ୟ ସାମିଲ ଅଛି।