ମଦ ନୀତି ମାମଲାରେ ସିବିଆଇ ଓ ଇଡି ଦାଖଲ କରିଛନ୍ତି ମିଛ ସତ୍ୟପାଠ: ଅରବିନ୍ଦ କେଜ୍ରିଓ୍ୱାଲ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା । କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କହିଛନ୍ତି- ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଓ ଇଡି ମିଛ ଅଭିଯୋଗ କରିଛନ୍ତି । ବିଭିନ୍ନ ମିଛ ଅଭିଯୋଗ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫସାଇ ଦିଆଯାଇଛି । ଏପରିକି ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ମିଛ ସତ୍ୟପାଠ ବି ଦାଖଲ କରିଛନ୍ତି । ବାରମ୍ବାର ରେଡ୍ ପରେ ବି ଦୁଇ ସଂସ୍ଥା କିଛି ପାଇନାହାନ୍ତି । ବହୁ ନେତାଙ୍କୁ ଏହି ଦୁଇ ସଂସ୍ଥା ମାନସିକ, ଶାରୀରିକ ଓ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଉଛନ୍ତି । ସେପଟେ  ଆସନ୍ତାକାଲି ସିବିଆଇରେ ହାଜର ହେବା ଲାଗି କେଜ୍ରିଓ୍ବାଲଙ୍କୁ ଦିଆଯାଇଛି ନୋଟିସ ।  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ଫେବ୍ରୁଆରୀରୁ ଜେଲରେ ଥିବାବେଳେ କେଜ୍ରିଓ୍ବାଲଙ୍କୁ ସମନ ଜାରି କରାଯାଇଛି ।

କୌଣସି ଏକ ମାମଲାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ କରିବା ନିକଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ସିବିଆଇ କହିଛି- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ରବିବାର ଜେରା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ମଦ ନୀତି ମାମଲାକୁ ଆଳ କରି ଆପ୍ ସରକାର ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଅସ୍ତ୍ର କରାଯାଉଛି ବୋଲି ବାରମ୍ବାର ଅଭିଯୋଗ କରିଆସିଛି ଆମ୍ ଆଦମୀ ପାର୍ଟ । ବରିଷ୍ଠ ନେତା ସଞ୍ଜୟ ସିଂ କହିଛନ୍ତି- ସିବିଆଇର ଏହି ନୀତିକୁ ନେଇ ଆପର କୌଣସି ନେତା ଭୟଭୀତ ନୁହନ୍ତି । କିଛି ଦିନ ଧରି ଦଳର ବହୁ ନେତା ଓ ସଦସ୍ୟଙ୍କୁ ଟାର୍ଗେଟ କରାଯାଇଆସୁଛି । ସେପଟେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ ଝା କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ ।  କହିଛନ୍ତି- ବିରୋଧୀ ଦଳ ନେତାମାନଙ୍କୁ ଟାର୍ଗେଟ କରାଯାଉଛି ଏବଂ ନାଜିବାହିନୀ ଯେପରି ଗ୍ୟାସ୍ ଚାମ୍ବର ଭିତରେ ଭର୍ତ୍ତି କରି ଲୋକଙ୍କୁ ହତ୍ୟା କରୁଥିଲା ଠିକ୍ ସେପରି ବିରୋଧୀ ଦଳ ନେତାଙ୍କୁ ଶେଷ କରିଦେବା ଲାଗି ଉଦ୍ୟମ ଚାଲିଛି ।