ଜଣାପଡ଼ିଲା ମୋଟାପଣର କାରଣ
ନୂଆଦିଲ୍ଲୀ: ମୋଟାପଣର ବୈଜ୍ଞାନିକ କାରଣ ହେଲା ସ୍ପଷ୍ଟ । ମସ୍ତିଷ୍କ ଦହିର ଯଦି ପୂର୍ଣ୍ଣ ମାତ୍ରାରେ ବିକାଶ ନ ହୁଏ, ତା’ହେଲେ ତରୁଣ ଓ ତରୁଣୀଙ୍କ ଅତିମାତ୍ରାରେ ସବୁବେଳେ ଖାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହୁଏ । ବୁଦ୍ଧି ଓ ସ୍ମରଣ ଶକ୍ତି ହ୍ରାସ ପାଏ । ମସ୍ତିଷ୍କର ଅସ୍ବାଭାବିକ ବିକାଶ ଯୋଗୁଁ ଯାହା ପାଏ ବ୍ୟକ୍ତି ଖାଇଚାଲେ । ଫଳରେ ବଢିଥାଏ ମୋଟାପଣ । ପରେ ରୋଗଗ୍ରସ୍ତ ହୋଇଯାଏ ଜୀବନ । ଲଣ୍ଡନର କିଙ୍ଗ୍ କଲେଜ୍ ବୈଜ୍ଞାନିକ ୧୪ରୁ ୨୩ ବର୍ଷ ବୟସର ୧ ହଜାର ଯୁବକଯୁବତୀଙ୍କ ବ୍ରେନ୍ ଏମଆରଆଇ କରି ଏପରି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ବିଶେଷଜ୍ଞଙ୍କ ମତ, ମା’ ଗର୍ଭରେ କିମ୍ବା ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁର ଅପପୁଷ୍ଟି ରହିଲେ ଏପରି ହୋଇଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ସେବନ କଲେ ଏସବୁ ରୋଗୀଙ୍କୁ କିଛିଟା ଆରୋଗ୍ୟ କରି ହେବ ।
କଥାରେ ଅଛି, ଦହି ଚହଲିଲେ ମଣିଷ କରେ ବିକୃତ ବ୍ୟବହାର । ମସ୍ତିଷ୍କର ଦହି ବା କର୍ଟେକ୍ସ୍ ଦୁର୍ବଳ ଥିଲେ ବ୍ୟକ୍ତି ମଧ୍ୟରେ ଅଧିକରୁ ଅଧିକ ଖାଇବାକୁ ଇଚ୍ଛା ହୋଇଥାଏ । ଏହା ଅପରିପକ୍ବ ମସ୍ତିଷ୍କର ଏକ ପ୍ରକାର ରୋଗ । ଭୋକ ଥାଉ କି ନ ଥାଉ, ଯେତେବେଳେ ଯାହା ଚାହିଁଲା ଖାଇଲେ । ଲଣ୍ଡନର କିଙ୍ଗ କଲେଜ୍ ବୈଜ୍ଞାନିକମାନେ ଇଂଲଣ୍ଡ, ଆୟରଲାଣ୍ଡ, ଫ୍ରାନ୍ସ, ଜର୍ମାନୀର ୧୪ରୁ ୨୩ ବର୍ଷ ବୟସର ୧ ହଜାର ତରୁଣ ଓ ତରୁଣୀଙ୍କ ବ୍ରେନ୍ ଏମଆରଆଇ କଲାପରେ ଏହି ନୂଆ ତଥ୍ୟ ଆବିଷ୍କାର କରିଛନ୍ତି । ମସ୍ତିଷ୍କର ବାହ୍ୟ ଆବରଣରେ ଥିବା କର୍ଟେକ୍ସ ପତଳା ହେବା କିମ୍ବା ଆବଶ୍ୟକତା ତୁଳନାରେ ଘନତ୍ବ ନହେବା ସମ୍ପୃକ୍ତ ବ୍ୟକ୍ତିକୁ ଡର, ଭୟ, ଆତଙ୍କିତ ହେବା ସହ ଖାଇବାର ପ୍ରବଳ ଇଚ୍ଛା ଜନ୍ମାଏ । ବିଶେଷଜ୍ଞଙ୍କ ମତରେ ଶିଶୁଟି ଗର୍ଭାବସ୍ଥାରେ ଯଦି ସନ୍ତୁଳିତ ଓ ପୁଷ୍ଟିଯୁକ୍ତ ଖାଦ୍ୟ ନପାଏ ତା’ହେଲେ ସେହି ଶିଶୁ ତରୁଣ ବୟସରେ ପହଞ୍ଚିବା ପରେ ତା ମସ୍ତିଷ୍କର ଏପରି ଅସ୍ବାଭିବକତା ଦେଖାଦିଏ । ଏପରିକି ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କର ବି ଏହି ଲକ୍ଷଣ ଦେଖାଦେଇଥାଏ । ମସ୍ତିଷ୍କର କର୍ଟେକ୍ସ ବା ଦହି ମଣିଷର ନିଷ୍ପତ୍ତି ନେବାର ଦକ୍ଷତା ଓ ଭାବାବେଗକୁ ନିୟନ୍ତ୍ରଣ କରିଥାଏ । ଅସ୍ବାଭାବିକ ଭାବେ ଖାଦ୍ୟ ଖାଇବା ଦ୍ବାରା ବଢେ ମୋଟାପଣ । ମୋଟାପଣ ଯୋଗୁଁ ତରୁଣ ଓ ଯୁବ ବୟସରୁ ରୋଗୀଟି ହୃଦରୋଗ, ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ବି ପଡ଼ିଥାଏ । ଏଲୋପାଥି ଡାକ୍ତରଙ୍କ ମତରେ ଯଦି ଏଭଳି ରୋଗୀର ଲକ୍ଷଣ ଦେଖାଦେବା ଆରମ୍ଭରୁ ଚିକିତ୍ସା କରାଯାଏ ତା’ହେଲେ କିଛିଟା ତା ମସ୍ତିଷ୍କର ବିକାଶ ହୋଇପାରିବ ।
ଏଭଳି ରୋଗୀଙ୍କୁ ଲକ୍ଷଣ ଦେଖି ହୋମିଓପାଥୀ ଚିକିତ୍ସା ବି କରାଯାଇପାରେ । ବିଶେଷଜ୍ଞଙ୍କ ମତରେ ରୋଗୀର ଗମ୍ଭୀରତାକୁ ଅନୁଧ୍ୟାନ କଲେ ଜଣାପଡ଼େ, ଏଭଳି ରୋଗୀଙ୍କର ଶରୀର ଅତ୍ୟଧିକ ପୃଥଳ ହେବା ସହ ତାଙ୍କ ମସ୍ତିଷ୍କର ବିକାଶ ହୋଇ ନଥାଏ । ଛୋଟ ଛୋଟ କଥାକୁ ସେମାନେ ବୁଝିପାରନ୍ତି ନାହିଁ । ପାଠ ହେଉକି ସାଠ କୌଣସି କଥାରେ ତାଙ୍କର ଧ୍ୟାନ ରହେ ନାହିଁ । ସବୁବେଳେ ବିଚଳିତ ଓ ଅନ୍ୟମନସ୍କ ରହିଥାନ୍ତି । ଏଥିପାଇଁ କିଛିଟା ପାରିପାର୍ଶ୍ବିକ ପରିବେଶ ହିଁ ଦାୟୀ । ବେଳେବେଳେ ରୋଗୀ ଅସ୍ବାଭାବିକ ଭାବେ ପାଗଳ ଭଳି ବ୍ୟବହାର କରି କେବଳ ଖାଦ୍ୟ ଖାଇଚାଲେ । ଏପରି ରୋଗୀ ଦୁଇ ପ୍ରକାରର । ଗୋଟିଏ ପ୍ରକାର ରୋଗୀ ଯାହା ଦେଖେ ତାହା ଖାଇଚାଲେ । ଆଉ ଗୋଟିଏ ପ୍ରକାର ରୋଗୀ ଖାଇ ଖାଇ ବାନ୍ତି କରେ ସିନା ଖାଦ୍ୟ ଦେଖିଲେ ଛାଡ଼େନା । ରୋଗୀର ଲକ୍ଷଣ ଦେଖି ତାକୁ କାଲକେରିଆ କାର୍ବ, ବାରାଇଟା କାର୍ବ, ବାରାଇଟା ମ୍ୟୁର୍, ବାରାଇଟା ଫସ୍, ମେରୋରିନମ୍ ଓ ବେଲାଡୋନା ଆବଶ୍ୟକ ମାତ୍ରା ଅନୁଯାୟୀ ଦିଆଯାଏ । ସାଧାରଣତଃ ଏ ପ୍ରକାର ରୋଗୀଙ୍କୁ ଆରୋଗ୍ୟ ଲାଭ କରିବା ପାଇଁ ୬ ମାସ, ବର୍ଷେ କିମ୍ବା ଦୁଇବର୍ଷରୁ ଅଧିକ ସମୟ ଲାଗିଥାଏ । କିନ୍ତୁ ଧୈର୍ଯ୍ୟର ସହ ଔଷଧ ସେବନ କଲେ ଏପରି ଜନ୍ମଗତ ରୋଗକୁ ଠିକ୍ କରିହୁଏ ।
ଆଜି କାଲି ଫାଷ୍ଟଫୁଡ୍ ପ୍ରତି ଯୁବଗୋଷ୍ଠୀ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଧାରଣା ଥିଲା ଯେ, କେବଳ ଫାଷ୍ଟ୍ଫୁଡ୍ ହିଁ ମୋଟାପଣର କାରଣ ହେଉଛି । କିନ୍ତୁ ଏବେ ଆବିଷ୍କାର ହୋଇଥିବା ନୂଆ ବୈଜ୍ଞାନିକ ତଥ୍ୟ ଓବେସିଟି ଦୂର କରି ସମ୍ପୃକ୍ତ ଯୁବବ୍ୟକ୍ତିର ଜୀବନ ସୁଧାରି ପାରିବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।