ମହାପ୍ରଭୁଙ୍କ ଜମିରେ ବେଆଇନ ଖଣି ଉତ୍ତୋଳନ କରୁଥିବା ଲୋକଙ୍କ ବିରୋଧରେ ହେବ ମାମଲା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଉତ୍ତୋଳନ କରୁଥିବା ଖଣି ମାଲିକଙ୍କ ବିରୋଧରେ ହେବ ମାମଲା ରୁଜୁ । ଖୋର୍ଦ୍ଧା ଜିଲ୍ଲାରେ ଥିବା ପଥର ଖଣିଗୁଡିକରେ ଧାର୍ଯ୍ୟ ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣ ଉତ୍ତୋଳନ ଓ ବେଆଇନ୍ ଉତ୍ତୋଳନ ସଂକ୍ରାନ୍ତରେ ମାମଲା ରୁଜୁ କରିବାକୁ ଖୋର୍ଦ୍ଧା ଏସପିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁଙ୍କ ଜମି ଉପରେ ଥିବା ନିର୍ମାଣ ପଥର ଓ ମାଙ୍କଡ଼ା ପଥର ଖଣି ଲିଜଧାରୀମାନଙ୍କୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ଉତ୍ତୋଳନ ସଂକ୍ରାନ୍ତରେ ଏହା ପୂର୍ବରୁ ନୋଟିସ୍ କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ କେତେକ ଲିଜଧାରୀ ଜରିମାନା ଦାଖଲ କରିନାହାନ୍ତି । ସେମାନେ ସ୍ଥାନୀୟ ମାଫିଆଙ୍କ ସହ ହାତ ମିଳାଇ ବେଆଇନ୍ ଉତ୍ତୋଳନ କରୁଛନ୍ତି । ଏହାଦ୍ବାରା ମହାପ୍ରଭୁଙ୍କ ରାଜସ୍ବ କ୍ଷତି ହେଉଥିବା ମୁଖ୍ୟ ପ୍ରଶାସକ  ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ଭିତରେ କ୍ଷମତା ସମ୍ପନ୍ନ ଅଧିକାରୀ, ସମ୍ପୃକ୍ତ ଖିଲାପି ଲିଜଧାରୀଙ୍କ ଲିଜ୍ ମଧ୍ୟ ରଦ୍ଦ କରାଯାଇଛି ।  ଭବିଷ୍ୟତରେ କୌଣସି ନିଲାମରୁ ବାଦ୍ ଦେବା ପାଇଁ ସେମାନଙ୍କୁ କଳାତାଲିକା ଭୁକ୍ତ ମଧ୍ୟ କରାଯାଇଛି  । ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତି ଖିଲାପି ଲିଜଧାରୀଙ୍କ ବିରୋଧରେ ଖୋର୍ଦ୍ଧା ସଦର ଥାନାରେ ଏତଲା ଦାୟର କରାଯାଇଛି ।