ବିଦୁସ୍ମିତାଙ୍କ ଠୁ ୨୫ ଲକ୍ଷ ଚୁନା, ଥାନାରେ ଏତଲା

ଭୁବନେଶ୍ବର: ଡୁପ୍ଲେକ୍ସ କିଣିବା ନାଁରେ ଓଡ଼ିଆ ଅଭିନେତ୍ରୀଙ୍କୁ ଠକେଇ । ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀଙ୍କୁ ଠକିଲା ଏକ ରିଅଲ ଇଷ୍ଟେଟ କମ୍ପାନୀ  । ଅଭିନେତ୍ରୀଙ୍କ ଠାରୁ କମ୍ପାନୀ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ବିଦୁସ୍ମିତା ଓ ତାଙ୍କ ମାଆ ଦୁଇଟି ଡୁପ୍ଲେକ୍ସ ପାଇଁ ବିଭିନ୍ନ କିସ୍ତିରେ ୨୫ ଲକ୍ଷ ଟଙ୍କା ଦେଇଥିଲେ । ୨୦୧୯ ମସିହା ପୂର୍ବରୁ ବିଦୁସ୍ମିତା ୧୫ ଲକ୍ଷ ଓ ତାଙ୍କ ମାଆ ୧୦ ଲକ୍ଷ ଟଙ୍କା ରିଅଲ ଇଷ୍ଟେଟ କମ୍ପାନୀକୁ  ଦେଇଥିଲେ । ୨ ବର୍ଷ ପରେ ତାଙ୍କୁ ଘର ଦେବାକୁ ରିଅଲ ଇଷ୍ଟେଟ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା  । ଜାଗା ଦେଖାଇ ଡିଲ୍ ମଧ୍ୟ ହୋଇଥିଲା ଫାଇନାଲ୍  । କିନ୍ତୁ ବିଳମ୍ବ ଯୋଗୁଁ ବାରମ୍ବାର କହିବା ପରେ କମ୍ପାନୀ କିଛି ଟଙ୍କା ଫେରାଇଥିଲା  ।

ଏନେଇ ଗତ ଫେବ୍ରୁଆରୀ ମାସରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ୩ ମାସ ଭିତରେ ଟଙ୍କା ଫେରାଇବାକୁ ପୋଲିସ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୬ ମାସ ବିତିଥିଲେ ମଧ୍ୟ ଟଙ୍କା ଫେରି ନପାଇବାରୁ ପୁଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ।