ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ
ପୁରୀ : ଶ୍ରୀକ୍ଷେତ୍ରରେ ବିପଦ ସାଜିଛି ମୁକୁଳା ଡ୍ରେନ୍ । ପଦାରେ ପଡ଼ିଛି ପ୍ରଶାସନ ଓ ଅଧିକାରୀଙ୍କ ଅବହେଳା । ଗଜପତି ନଗର ମୃତ୍ଯୁ ଘଟଣାରେ ଏନଏଚଆରସିରେ ମାମଲା । ମଙ୍ଗଳବାର ଦିନ ଘଟିଛି ଏପରି ଅଭାନୀୟ ଘଟଣା । ପୁରୀ ଗଜପତି ନଗରର ପ୍ରଦୀପ୍ତ ଚୌଧୁରୀଙ୍କ ଡ୍ରେନରେ ପଡି ମୃତ୍ୟୁ ହୋଇଛି । ମୁକୁଳା ଡ୍ରେନ୍ ଯୋଗୁ ତାଙ୍କର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖୋଲା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ ବାରମ୍ବାର ସହରବାସୀ ପୌର ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ଏହାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି ପୁରୀର ସୂଚନା ଅଧିକାର କର୍ମୀ । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଦାବି ରଖାଯାଇଅଛି । ଏହାସହ ପର୍ଯ୍ୟଟନ ନଗରୀରେ ଥିବା ସମସ୍ତ ଡ୍ରେନରେ ତୁରନ୍ତ ସ୍ଲାବ ପକାଇବାକୁ ଦାବି ହୋଇଛି । ତେବେ ପୁରୀରେ ମଧ୍ୟ ପୂର୍ବରୁ ଏପରି ଘଟଣା ଘଟିଥିବା ନଜରକୁ ଆସିଥିବାରୁ କମିଶନ ପ୍ରଶାସନକୁ ତାଗିଦ କରିଛନ୍ତି ।
କେବଳ ଗଜପତି ନଗର ଡ୍ରେନ ନୁହେଁ ସହରର ବିଭିନ୍ନ ନଳା ମୁକୁଳା ହୋଇ ପଡିରହିଛି । ଏଥିରେ କେବଳ ମଣିଷ ନୁହେଁ ଏଥିରେ ପଡ଼ି ଷଣ୍ଢ ଗାଇଗୋରୁଙ୍କ ମଧ୍ଯ ମୃତ୍ଯୁ ହେଉଛି । ତେବେ ପୁରୀ ପୌରପାଳିକା ଅଞ୍ଚଳରେ ଥିବା ସମସ୍ତ ମୁକୁଳା ଡ୍ରେନର ସର୍ଭେ କରାଯିବ । ସହରର ଏହି ମୁକୁଳା ଡ୍ରେନ ରେ ସ୍ଲାବ ପକାଇବା ପାଇଁ ବିଭାଗୀୟ ଅଧିକାରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ପୁରୀ ବିଧାୟକ କହିଛନ୍ତି । ପୁରୀ ପୌରପାଳିକା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍ଲାବ ପକାଯିବାକୁ ଆଗାମୀ ୩୦ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସରିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୂର୍ବରୁ ୨୦୨୨ ମେ ୧୮ ଏବଂ ନଭେମ୍ୱର ୬ ତାରିଖରେ ବଡ଼ଦାଣ୍ଡର ମାର୍କେଟ ଛକ ଏବଂ ରେଡକ୍ରସ ରୋଡରେ ଥିବା ମୁକୁଳା ଡ୍ରେନରେ ପଡି ଦୁଇଜଣଙ୍କର ଜୀବନ ଯାଇଥିଲା ।