ଥାନାକୁ ଗଲା ବିଜେପି ଗୋଷ୍ଠୀ କନ୍ଦଳ, ଜିଲ୍ଲା ସଭାପତିଙ୍କ ସମେତ ୪ ଜଣଙ୍କ ନାଁରେ ଏତଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଜେପି ଅନ୍ତଃ କନ୍ଦଳ ଉଗ୍ର ହେବାରେ ଲାଗିଛି । ଗତକାଲିର ଗଣ୍ଡଗୋଳ ଓ କାଳିମାଡ଼ ଘଟଣା ପରେ ଆଜି ଥାନାରେ ଦିଆଯାଇଛି ଏତଲା । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନାଙ୍କ ସମେତ ୪ ଜଣଙ୍କ ନାଁରେ ଗୋଷାଣୀନୂଆ ଗାଁ ଥାନାରେ ଦିଆଯାଇଛି ଏତଲା । ବ୍ରହ୍ମପୁର ମହାନଗର ନିଗମର ୨୭ ନମ୍ବର ୱ୍ବାର୍ଡ କର୍ପୋରେଟର ନୀଳକଣ୍ଠ ସାହୁ ଏହି ଏତଲା ଦେଇଛନ୍ତି । ଏତଲାରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ନୀଳକଣ୍ଠ ଦର୍ଶାଇଛନ୍ତି ।

ଗତକାଲି ବ୍ରହ୍ମପୁରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତିଙ୍କୁ କାଳିମାଡ଼ ଓ ଗଣ୍ଡଗୋଳ ହୋଇଥିଲା । ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ କାଳୁଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ବିଜେପି ଜିଲ୍ଲା ସଭାପତି ବିଭୂତି ଜେନାଙ୍କୁ ବିରୋଧ କରାଯାଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଳିମାଡ଼ ହେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ରାମକୁମାର ପାତ୍ରଙ୍କୁ ଦଳ ଭିତରେ ଅବହେଳା କରାଯାଉଥିବା ଅଭିଯୋଗରେ ସର୍କିଟ ହାଉସ ଆଗରେ କିଛି ବିଜେପି କର୍ମୀ ଗତକାଲି ଧାରଣାରେ ବସିଥିଲେ । ଗଞ୍ଜାମ ଜିଲ୍ଲା ବିଜେପିରେ ବିବାଦ ଉଗ୍ରରୂପ ନେଇଥିବା ଏହି ଘଟଣାରୁ ଜଳଜଳ ଦିଶୁଛି ।