ଭୁବନେଶ୍ବରରୁ କଟକ ସ୍ଥାନାନ୍ତର ହେଲା ରିୟାଙ୍କ ବିରୋଧରେ ମାମଲା

କଟକ: ଅଭିନେତ୍ରୀ ରିୟା ଦେ’ଙ୍କ ପାଇଁ ବଢିଲା ଅଡୁଆ । ରିୟାଙ୍କ ବିରୋଧରେ ଭୁବନେଶ୍ବରରେ ହୋଇଥିବା ମାମଲା କଟକକୁ କରାଗଲା ସ୍ଥାନାନ୍ତର । କଟକ ବିଡାନାସୀ ଥାନାକୁ ମାମଲା ସ୍ଥାନାନ୍ତର କରିଛି ଚନ୍ଦ୍ରଶେଖର ପୋଲିସ ।

ଆଗକୁ ପୀଡିତାଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୋଗ ସଂପର୍କରେ ତଦନ୍ତ କରାଯିବ । ଏଥି ସହିତ ଅଭିଯୋଗକାରିଣୀଙ୍କ ବୟସ ସଂପର୍କରେ ମଧ୍ଯ ଯାଞ୍ଚ କରାଯିବ ।

ଘରୋଇ ସହାୟିକାଙ୍କୁ ଶାରୀରିକ ନିର୍ଯାତନା ନେଇ ରୁଜୁ ହୋଇଛି ମାମଲା । ରିୟା ଦେ ଓ ତାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି ପୀଡ଼ିତା । ରିୟାଙ୍କ ସ୍ବାମୀ ତାଙ୍କୁ ପ୍ରବଳ ମାଡ଼ ମାରୁଥିଲେ ବୋଲି ପୀଡ଼ିତା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।