ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ’ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ସୁଯୋଗ ବିଷୟରେ ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ କଠିନ ପରିଶ୍ରମର ମଧ୍ୟ ଆବଶ୍ୟକତା ରହିଛି । ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜ ଭବିଷ୍ୟତର କ୍ୟାରିୟର ଗଠନ ପାଇଁ ଏବେଠୁ ଅଗ୍ରସର ହୁଅନ୍ତୁ ବୋଲି କହିଛନ୍ତି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ, ସ୍ତମ୍ଭକାର ତଥା ‘ଦ ଇଣ୍ଟେଲେକ୍ଟ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ କ୍ୟାରିୟର କାଉନସେଲିଂ ନିହାତି ଦରକାର । ତେଣୁ କଲେଜରେ ପାଠ ପଢ଼ିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟରେ ସଠିକ୍ ଭାବେ ଦିଗଦର୍ଶନ ଦେଖାଇପାରିଲେ ହିଁ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହୋଇପାରିବ ।

ବିଶିଷ୍ଟ ଲେଖକ ଭଗବାନ ପ୍ରକାଶ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଜୀବନରେ ସଫଳ ହେବା ପାଇଁ ସମସ୍ତଙ୍କୁ ପ୍ରଥମେ ଭଲ ମଣିଷ ହେବା ଦରକାର । ଏହାସହ ଯଦି ଜଣେ ବ୍ୟକ୍ତି ନିଜ କ୍ୟାରିୟରକୁ ସଠିକ୍ ବାଟରେ ନେଇ ପାରିବ ତାହାଲେ ସେ ସଫଳତାର ଶୀର୍ଷକୁ ଯାଇପାରିବ ।

କ୍ୟାରିୟର କାଉନସେଲିଂ ଏକ୍ସପର୍ଟ ଡକ୍ଟର ସୁଶାନ୍ତ କୁମାର ଦାଶ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କୁ ସମୟ ସହ ସବୁବେଳେ ତାଳ ଦେଇ ଚାଲିବାକୁ ପଡ଼ିବ । କାରଣ ଜୀବନରେ ସମୟର ଯଥେଷ୍ଟ ମୂଲ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାୟିକା ସୁସ୍ମିତା ଦାସ ରୋଲ ମଡେଲ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ସସ୍ମିତା ମହାନ୍ତି, ରେଜିଷ୍ଟ୍ରାର ଶ୍ୟାମଳୀ ମହାପାତ୍ର ଉପସ୍ଥିତ ରହି ଛାତ୍ରୀମାନଙ୍କୁ କ୍ୟାରିୟର ଗଠନ ଉପରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।