କାର୍ ଦୁର୍ଘଟଣାରେ ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଆହତ

ନନ୍ଦିଘୋଷ ବ୍ୟୁରୋ: ଇଟାଲୀରେ କାର୍ ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଗାୟତ୍ରୀ ଯୋଶୀ । ସ୍ବାମୀ ବିକାଶ ଓବରୟଙ୍କ ସହ କାରରେ ଯାଉଥିବାବେଳେ ସ୍ବଦେଶର ଅଭିନେତ୍ରୀ ହୋଇଛନ୍ତି ଆହତ । ଇଟାଲୀର ସାର୍ଡିନାରେ ସେମାନେ ଭ୍ୟାକେସନରେ ଏକ ଲାମ୍ବ୍ରୋଘିନିରେ ଯାଉଥିବାବେଳେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତେବେ ଚିକିତ୍ସା ପରେ ଦୁହେଁ ସୁସ୍ଥ ଥିବା ସୂଚନା ମିଳିଛି । ସ୍ବଦେଶ ଫିଲ୍ମରେ ଶାହାରୁଖ ଖାନଙ୍କ ସହ ଅଭିନୟ କରିଥିଲେ ଗାୟତ୍ରୀ । ଗାୟତ୍ରୀ ଓ ସ୍ବାମୀ ଲାମ୍ବ୍ରୋଘିନିରେ ଯାଉଥିବାବେଳେ ଏକ ଫେରାରି ଓ ଏକ କ୍ୟମ୍ପର ଭ୍ୟାନ ସହ ତାଙ୍କ କାରର ଧକ୍କା ଘଟିଥିଲା । ଦୁର୍ଘଟଣା ପରେ ଫେରାରିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ସୁଇସ ନାଗରିକଙ୍କ ମୃତ୍ୟୁ ଘଟିଛି । ଜଣେ ଭିଡିଓ ଜକି ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମହାରାଷ୍ଟ୍ର ନାଗପୁରର ଗାୟତ୍ରୀ । ସେ ୨୦୦୦ରେ ଫେମିନା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟଲ ହାସଲ କରିଥିଲେ । ୨୦୦୫ରେ ବିକାଶଙ୍କ ସହ ତାଙ୍କର ବିବାହ ହୋଇଥିଲା ।