ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଓଭରବ୍ରିଜରୁ ୩୦ ଫୁଟ ତଳକୁ ଖସିଲା କାର
1 min read
ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା କାର । ଶୁକ୍ରବାର ରାତି ପ୍ରାୟ ୨ ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭୁବନେଶ୍ୱର ପଳାସପଲ୍ଲୀ ନିକଟ ପୁନାମାଗେଟ୍ ଓଭରବ୍ରିଜ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଓଭରବ୍ରିଜରୁ ୩୦ ଫୁଟ୍ ତଳକୁ ଖସିବା ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିବାବେଳେ ଏପର୍ଯ୍ୟନ୍ତ ଡ୍ରାଇଭରଙ୍କ ପତ୍ତା ମିଳୁନି ।
ମିଳିଥିବା ସୂଚନା ଅନୁସାରେ ନବୀନ ନିବାସ ପଟୁ ଏକ ଦୂତଗାମୀ i-20 ଗାଡି ଭୀମଟାଙ୍ଗୀ ପଟକୁ ଯାଉଥିଲା । ଓଭରବ୍ରିଜ୍ ଚଢିବା ପରେ ଗାଡିଟି ଭାରସାମ୍ୟ ହରାଇଥିଲା । ଯାହା ଫଳରେ ଓଭରବ୍ରିଜ କଡରେ ଲାଗିଥିବା ସୁରକ୍ଷା ବଳୟକୁ ଭାଙ୍ଗି ଗାଡିଟି ୩୦ ଫୁଟ ତଳକୁ ଖସିପଡ଼ିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଗାଡିର ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।