ବିଜେପି ସହ ମେଣ୍ଟ କଲେ ଅମିରନ୍ଦର

1 min read

ଚଣ୍ଡିଗଡ: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବରେ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ମାହୋଲ ସରଗରମ ହୋଇସାରିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇ ଏକ ନୂଆ ଦଳ ଗଢ଼ିଥିଲେ । ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଢ଼ିଥିଲେ ଅମିରନ୍ଦର । ତେବେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅମିରନ୍ଦରଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବ ବୋଲି ଆଜି ଘୋଷଣା କରିଛନ୍ତି । ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଅମିରନ୍ଦର । ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି, ପଞ୍ଜାବ ଲୋକ କଂଗ୍ରେସ ଏବଂ ଆଉ ଏକ ଦଳ ମିଶି ମେଣ୍ଟ କରିଛନ୍ତି ।

 

ଅମିରନ୍ଦର ସିଂ କହିଛନ୍ତି କି ଆମ ଦୁଇ ଦଳ ମଧ୍ୟରେ କିଛି ଦିନ ହେବ ଆଲୋଚନା ଜାରି ରହିଥିଲା । ପଞ୍ଜାବ ବିଧାନସଭା ନିର୍ବାଚନରେ ଆମେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥିଙ୍କୁ ସମର୍ଥନ କରିବୁ ଏବଂ ବିଜେପି ଆମ ଦଳର ଆଶାୟୀଙ୍କୁ ମଧ୍ୟ ସମର୍ଥନ କରିବ ବୋଲି କହିଛନ୍ତି ଅମିରନ୍ଦର । କିନ୍ତୁ ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କିଛି ସୂଚନା ଦେଇନାହାନ୍ତି ଅମିରନ୍ଦର । ବହୁତ ଶୀଘ୍ର ଆସନ ବୁଝାମଣା ହେବ ବୋଲି କହିଛନ୍ତି ଅମିରନ୍ଦର ସିଂ ।

 

ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ନିର୍ବାଚନ ପାଇଁ ଅମିରନ୍ଦର ସିଂ ନିଜ ଦଳର ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେହି ନେତାମାନଙ୍କ ଉପରେ ଅମିରନ୍ଦରଙ୍କ ନଜର ରହିବ ଯେଉଁମାନଙ୍କୁ କଂଗ୍ରେସ ଚଳିତ ନିର୍ବାଚନରେ ଟିକେଟ ଦେବନାହିଁ । ସୂଚନା ଅନୁସାରେ ଏହି ମେଣ୍ଟରେ ସିନିଅର ପାର୍ଟନର ଭାବରେ ରହିବ ବିଜେପି । ପଞ୍ଜାବର ମୋଟ ଆସନରୁ ୬୦ରୁ ୭୦ ପ୍ରତିଶତ ଆସନରେ ପ୍ରାର୍ଥି ଦେଇପାରେ ବିଜେପି । ସେହପରି ୩୦ରୁ ୪୦ ପ୍ରତିଶତ ଆସନରେ ଅମିରନ୍ଦର ସିଂଙ୍କ ଦଳ ପ୍ରାର୍ଥି ଦେଇପାରେ ବୋଲି ଆଶା କରାଯାଉଛି ।

Leave a Reply