ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରାର୍ଥୀ କରିପାରେ ଏନଡିଏ

ଅମୃତସର: ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପ୍ରାର୍ଥୀ ବାଛିବାକୁ ଏନଡିଏ ଏବଂ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ହେବ । ଏନଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି  । ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ଆଗରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦରଙ୍କ ନାଁ ରହିଛି  ।

ଏନଡିଏ ତାଙ୍କୁ ପ୍ରାର୍ଥୀ କରିବ ବୋଲି ବିଚାର କରୁଛି । କ୍ୟାପ୍ଟେନ ନିଜ ଦଳ ଲୋକ କଂଗ୍ରେସକୁ ବିଜେପିରେ ମିଶାଇବାକୁ ପ୍ରସ୍ତୁତି କରିବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୟାପ୍ଟେନ ଅମରିନ୍ଦରଙ୍କର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଅଛି । କୁହାଯାଉଛି ଯେ, ଦଳ ମିଶାଇବା ସହ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବ । ଅସୁସ୍ଥତା ପାଇଁ କ୍ୟାପ୍ଟେନ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି । ତାଙ୍କର ସର୍ଜରୀ ହୋଇଛି  । ତେବେ ଆଗାମୀ ସପ୍ତାହରେ ସେ ପଞ୍ଜାବ ଫେରିବାର ସୂଚନା ରହିଛି ।

ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାୟୁଡୁଙ୍କ କାର୍ଯ୍ୟକାଳ ୧୧ ଅଗଷ୍ଟରେ ସମାପ୍ତ ହେବ । ଏହା ପୂର୍ବରୁ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ୫ ଜୁଲାଇରେ ବିଜ୍ଞପ୍ତି ଜାରି ହେବା ପରେ ୧୯ ଜୁଲାଇରେ ନାମାଙ୍କନ ଦାଖଲ ହେବ । ବିଜେପି କ୍ୟାପ୍ଟେନଙ୍କ ସାହାରାରେ ପଞ୍ଜାବରେ ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା କରିଛି । କୃଷି ଆଇନକୁ ନେଇ ଶିଖ୍ ଗୋଷ୍ଠୀ କେନ୍ଦ୍ର ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିଛନ୍ତି । ଶିଖ୍ ସମୁଦାୟଙ୍କ ସମର୍ଥନ ପାଇବା ପାଇଁ କ୍ୟାପ୍ଟେନ ଅମରିନ୍ଦରଙ୍କୁ ଚେହେରା କରୁଛି ବିଜେପି । ତେବେ ଯଦି କ୍ୟାପ୍ଟେନ ପ୍ରାର୍ଥୀ ହୁଅନ୍ତି ତେବେ ନିର୍ଦ୍ୱନ୍ଦରେ ବିଜୟୀ ହେବେ । କାରଣ ଉପରାଷ୍ଟ୍ରପ୍ରତି ନିର୍ବାଚନରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦିଅନ୍ତି ଏବଂ ବିଜେପି ନେତୃତ୍ୱଧୀନ ଏନଡିଏ ପାଖରେ ଅଧିକ ସାଂସଦ ରହିଛନ୍ତି  ।