ପଟିଆଲାରେ ଝାଡ଼ୁ ‘ଝଡ଼’, ହାରିଲେ କ୍ୟାପଟେନ୍ ଅମରିନ୍ଦର ଓ ନବଜୋତ ସିଂହ ସିଦ୍ଧୁ

1 min read
Captain Amarinder Singh loses from Patiala Urban Assembly Seat

ଚଣ୍ଡିଗଡ଼: ପଞ୍ଜାବରେ ବିଜୟ ବାନା ଉଡ଼ାଉଛି ଆପ୍ । ୧୧୭ ଆସନରୁ ଆପ୍ ୯୦ଟି ଆସନରେ ଆଗୁଆ ରହିଛି । ଆପର ପ୍ରାର୍ଥୀ ଆଗରେ କଂଗ୍ରେସର ବଡ଼ ବଡ଼ ନେତା ମଧ୍ୟ ଭୋଟ୍ ଗଣତିରେ ପଛୁଆ ରହିଛନ୍ତି । କଂଗ୍ରେସ ଛାଡ଼ି ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରି ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଝଟକା ଲାଗିଛି । ୧୩ ହଜାରରୁ ଅଧିକ ଭୋଟରେ କ୍ୟାପଟେନ୍ ଅମରିନ୍ଦର ସିଂହ ପଟିଆଲା ଆସନରୁ ହାରିଛନ୍ତି ।

Captain Amarinder Singh loses from Patiala Urban Assembly Seat

ପଟିଆଲା ଆସନରେ ଆପ୍ ପ୍ରାର୍ଥୀ ଅଜିତ୍ ପାଲ ସିଂହ କୋହଲିଙ୍କ ସହ କ୍ଯାପଟେନଙ୍କ କଡ଼ା ଟକ୍କର ହୋଇଥିଲା । ଅମରିନ୍ଦରଙ୍କୁ ୨୮ ପ୍ରତିଶତ ଅର୍ଥାତ୍ ୨୨ ହଜାରରୁ ଅଧିକ ଭୋଟ୍ ମିଳିଛି । ଆପ୍ ପ୍ରାର୍ଥୀ ଅଜିତ୍ ପାଲ ୪୫ ପ୍ରତିଶତ ଅର୍ଥାତ୍ ୩୬ ହଜାରରୁ ଅଧିକ ଭୋଟ୍ ପାଇ ୧୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

୨୦୧୭ ବିଧାନସଭା ନିର୍ବାଚନରେ କ୍ୟାପଟେନ୍ ଅମରିନ୍ଦର ସିଂ ପଟିଆଲା ଆସନରୁ ନିର୍ବାଚିତ ହୋଇଥିଲେ । ସେତେବେଳେ କ୍ୟାପଟେନଙ୍କୁ ୭୨ ହଜାର ୫୮୬ ଭୋଟ୍ ମିଳିଥିଲା । ଦ୍ୱିତୀୟ ସ୍ଥାନରେ ଥିବା ଆପ୍ ପ୍ରାର୍ଥୀ ଡକ୍ଟର ବଲବୀର ସିଂହ ୨୦ ହଜାର ୧୭୯ ଭୋଟ୍ ପାଇଥିଲେ । ୨୦୧୨ରେ ମଧ୍ୟ ୪୨ ହଜାରରୁ ଅଧିକ ଭୋଟରେ ପଟିଆଲା ଆସନରୁ ଜିତିଥିଲେ କ୍ୟାପଟେନ୍ ଅମରିନ୍ଦର ।

ସେହିଭଳି ପଞ୍ଜାବରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ପରାଜୟକୁ କଂଗ୍ରେସ ପଞ୍ଜାବ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ସ୍ୱୀକାର କରିବା ସହ ଲୋକଙ୍କ ସ୍ୱର ଭଗବାନଙ୍କ ସ୍ୱର ବୋଲି ଟ୍ୱିଟ୍ କରିଛନ୍ତି । ପଞ୍ଜାବ ଜନତାଙ୍କ ରାୟକୁ ସେ ନମ୍ରତାର ସହ ସ୍ୱୀକାର କରିବା ସହ ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି ।