ବ୍ୟାପକ ହେବ ରାଜଧାନୀ ଟ୍ରାଫିକ ପରିଚାଳନା, ଡିଜିଟାଲ ଓ୍ବାଲ୍ ନଜରରେ ରହିବେ ଅମାନିଆ

1 min read

ଭୁବନେଶ୍ୱର: ରଙ୍ଗିଲା ରୋଡ୍ ରୋମିଓ ସାବଧାନ ! ସ୍ମାର୍ଟସିଟି ଡିଜିଟାଲ ଓ୍ବାଲ ନଜରରେ ଖିଲାପକାରୀ । ଅପଗ୍ରେଡ କ୍ୟାମେରା ନଜରରେ ରହିବ ୧୧ଟି ଥାନା । ପାତ୍ରପଡ଼ାଠାରେ ନୂଆ ଥାନା ଉଦଘାଟନ୍ କଲେ ଡିଜିପି । ୧୬ ନମ୍ବର ଜାତୀୟ ରାଜପଥ ଜଟଣୀ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ୨୭ଟି ଟ୍ରାଫିକ ପୋଷ୍ଟ ରହିଛି । ୧୧ଟି ଥାନା ପରିବ୍ୟାପ୍ତ ଏହି ଏରିଆରେ ଟ୍ରାଫିକ କଣ୍ଟ୍ରୋଲ ପାଇଁ ପାତ୍ରପଡା ଠାରେ ପୋଲିସ ଡିଜିପି ସୁନୀଲ ବଂଶଲଙ୍କ ଦ୍ୱାରା ଉଦଘାଟିତ ହୋଇଛି ନୂଆ ଟ୍ରାଫିକ ଥାନା । ୧ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ଏହାର କାମ ହୋଇଛି । ଦ୍ଵିତୀୟ ଟ୍ରାଫିକ ଥାନାରେ ଜଣେ ଇନ୍ସପେକ୍ଟରଙ୍କ ସହ ୬ ଏସଆଇ, ୧୦ ଏଏସଆଇ ଓ ୧୪୦ କନଷ୍ଟେବଳ ପଦ ରହିଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓପିଏଚଡବ୍ଲୁସି ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଓ ଏସିପି ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ମାର୍ଟସିଟି ଡିଜିଟାଲ ଓ୍ବାଲ ଏହି ନୂଆ ଥାନାରୁ କଣ୍ଟ୍ରୋଲ ହେବ । ଦୁର୍ଘଟଣା, ବେଆଇନ ପାର୍କିଂ, ଓଭର ସ୍ପିଡ୍, ଡ୍ରଙ୍କ୍ ଆଣ୍ଡ ଡ୍ରାଇଭ୍, ଇନସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁସନ, ଓଭର ଲୋଡିଂ ଆଦି ଏହି ଡିଜିଟାଲ ଓ୍ବାଲର ସ୍କାନରରେ ରହିବ। ଦୁର୍ଘଟଣା ରୋକିବା ପାଇଁ ସୁପ୍ରିମକୋର୍ଟ କମିଟି NHରେ ଥିବା ବ୍ଲାକସ୍ପଟ ପରିଦର୍ଶନ କରିଥିଲା । ଏହାପରେ ରାଜ୍ୟରେ ଉଭୟ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଥିଲା । ନୂଆ କନଷ୍ଟେବଳଙ୍କ ନିଯୁକ୍ତି ପରେ ଟ୍ରାଫିକ ପରିଚାଳନା ଆହୁରି ବ୍ୟାପକ ହେବ ବୋଲି କହିଛନ୍ତି କମିଶନର । ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରିବାକୁ ଯାଇ ପ୍ରତିଦିନ ଚାଲାଣ କଟୁଛି, ଡିଏଲ ବି ରଦ୍ଦ ହେଉଛି। ତଥାପି ନଚେତିବାରୁ ପାଣିଫୋଟକା ଭଳି ଚାଲିଯାଉଛି ଜୀବନ ।