ଘୁଞ୍ଚି ଘୁଞ୍ଚି ଯାଉଛି କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ସ୍ବପ୍ନ

1 min read

ଭୁବନେଶ୍ବର ; ଗତ ୮ ତାରିଖରେ ଏହି ପ୍ରତିଶୃତି ଦେଇଥିଲେ ପୂର୍ତ୍ତମନ୍ତ୍ରୀ। କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍ ପାଇଁ ଚାଲିଛି ଏଲାଇନମେଣ୍ଟ । ଫେବୃଆରି ୨୦ ତାରିଖ ଥିଲା ଟେଣ୍ଡର ଦାଖଲର ଶେଷ ଦିନ। କିନ୍ତୁ କେହି ଜଣେ ବି ଟେଣ୍ଡର ପକାଇ ନାହାନ୍ତି। ୧୧୧ କିଲୋମିଟର ରାସ୍ତା ପାଇଁ ୩ଟି ପ୍ୟାକେଜ୍ରେ ପୁଣି ସାନି ଟେଣ୍ଡର ଆହ୍ବାନ କରିଛି ଏନ୍ଏଚ୍ଏଆଇ। ଟେଣ୍ଡର ପକାଇବାର ଶେଷ ଦିନ ହେଉଛି ମାର୍ଚ୍ଚ ୬। ରାଜଧାନୀର  ଟ୍ରାଫିକ ସମସ୍ୟା ଦୂର ପାଇଁ ୧୫ ବର୍ଷ ତଳୁ ରିଙ୍ଗ୍ ରୋଡ୍ ର ପରିକଳ୍ପନା ହୋଇଥିଲା। କିନ୍ତୁ ଏନଏଚଏଆଇର ଅବହେଳା ପାଇଁ ଏପର୍ଯ୍ୟନ୍ତ କାମ ଆରମ୍ଭ ବି ହୋଇନାହିଁ । କାମ କଣ ଟେଣ୍ଡର ବି ହୋଇପାରିନାହିଁ। କେତେବେଳେ ଇପିସି ଟେଣ୍ଡର ତ କେତେବେଳେ ହାଇବ୍ରିଡ୍ ଆନ୍ୟୁଟି ମୋଡ । କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି କ୍ୟାପିଟାଲ୍ ରିଜିୟନ ରିଙ୍ଗ ରୋଡ଼। ଖୋର୍ଦ୍ଧା ରାମେଶ୍ବରରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ୧୧୧ କିଲୋମିଟର ରିଙ୍ଗ ରୋଡ଼ର ପଦ୍ମ ଘୁଞ୍ଜି ଘୁଞ୍ଜି ଯାଉଛି । ଆଉ ଚୁପଚାପ୍ ବସି ରହିଛି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ । ପ୍ୟାକେଜ୍ ଓ୍ବାନ୍ ଖୋର୍ଦ୍ଧା ରାମେଶ୍ବରରୁ ବିଲିପଡ଼ା । ପ୍ୟାକେଜ୍-୨ ବିଲିପଡ଼ାରୁ ଗୋବିନ୍ଦପୁର । ପ୍ୟାକେଜ୍-୩ରେ ଗୋବିନ୍ଦପୁରରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍ । ଭୁବନେଶ୍ବରର ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ୨୦୧୦ରେ ପ୍ରଥମ କରି ରିଙ୍ଗ୍ ରୋଡ ପରିକଳ୍ପନା ହେଲା । ସେତେବେଳେ ୭୭ କିଲୋମିଟର ପାଇଁ ପ୍ରସ୍ତୁତ ହୋଇଥିଲା ଡିପିଆର୍ । ପରବର୍ତ୍ତୀ ପର୍ଯ୍ୟାୟରେ ଡିପିଆର ପରିବର୍ତ୍ତନ ହୋଇ ୧୧୧ କିଲୋମିଟର ପାଇଁ ରାଜ୍ୟ ସରକାର ଜମି ଯୋଗାଇଲେ । ଜମି ଅଧିଗ୍ରହଣ ସରିଛି। ଆଗରୁ ରାଜ୍ଯ   ସରକାର ୬୦୦ କୋଟି ଟଙ୍କା ଦେଇଛନ୍ତି । ସରକାର ପରିବର୍ତ୍ତନ ପରେ ଲୋକସଭାରେ ବିଜେପିର ୨୦ ସାଂସଦ ଅଛନ୍ତି । ତଥାପି କାହାରି ଫିଟୁନି ପାଟି । କାହିଁକି ଟେଣ୍ଡର ପରେ ଟେଣ୍ଡର ହେଉଛି ଠିକାଦାର ମିଳୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଶେଷଜ୍ଞ ।

କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ଼ ପାଇଁ ୨୦୨୨ରୁ ଏନ୍ଏଚ୍ଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହେଲା । ଏପରିକି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଘୋଷଣା କରିଥିଲେ ୨୦୨୪ ଅକ୍ଟୋବରରୁ ପ୍ୟାକେଜ୍ ଓ୍ବାନ୍ କାମ ଆରମ୍ଭ ହେବ। କିନ୍ତୁ ୨୦୨୪ ଯାଇ ୨୦୨୫ର ଦୁଇ ମାସ ବିତିବାକୁ ବସିଲାଣି, ବାରମ୍ବାର ଟେଣ୍ଡର ପଡ଼ୁଥିଲେ ବି କୌଣସି  ଠିକାଦାର ଆଗ୍ରହ ଦେଖାଉ ନାହାନ୍ତି । ପ୍ରଥମେ ବ୍ୟୟ ଅଟକଳ ଥିଲା ୧ ହଜାର ୩୭୮ କୋଟି ୯୫ ଲକ୍ଷ ଟଙ୍କା । ୨୦୨୪ ଜୁଲାଇରେ ଟେଣ୍ଡର ବେଳକୁ ବ୍ୟୟ ଅଟକଳ ବଢି ହେଲା ୧ ହଜାର ୭୧୫ କୋଟି ୩୧ ଲକ୍ଷ ଟଙ୍କା। ହାଇବ୍ରିଡ୍ ଆନ୍ୟୁଟି ମୋଡ ବା ହାମ ସର୍ତ୍ତ ଅନୁଯାୟୀ ପ୍ରକଳ୍ପ ବାବଦରେ ୪୦ ପ୍ରତିଶତ ସରକାର ବହନ କରିବେ। ବାକି ୬୦ ପ୍ରତିଶତ ଅର୍ଥ ଠିକାଦାର ନିଜ ହାତରୁ ଖର୍ଚ୍ଚ କରିବ । ସେହି ଅର୍ଥ ଫେରି ପାଇବାକୁ ଚୁକ୍ତି ମୁତାବକ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଟୋଲ ଗେଟ୍ କରି ଅର୍ଥ ଆଦାୟ କରିବ ଠିକାଦାର। କିନ୍ତୁ ଠିକାଦାରକୁ ଅଧିକ ଅର୍ଥ ଦେବାକୁ ପଡୁଥିବାରୁ ହାଇବ୍ରିଡ୍ ମୋଡ ପାଇଁ କେହି ରାଜି ହେଉନଥିବା ଚର୍ଚ୍ଚା ହେଉଛି। ଭୁବନେଶ୍ବରକୁ ଦୈନିକ ୩୦ ଲକ୍ଷ ଲୋକ ଯା ଆସ କରୁଛନ୍ତି । ଅଫିସ, ସ୍କୁଲ ସମୟ ହେଉ କି ସନ୍ଧ୍ୟାରେ, ଉତ୍କଟ ହେଉଛି ଟ୍ରାଫିକ୍ ସମସ୍ୟା। ଏବର ରାଜ୍ୟ ସରକାର କେବଳ ସ୍ବପ୍ନ ଦେଖାଇ ଚାଲିଛନ୍ତି – ଖୁବ ଶୀଘ୍ର ରାଜଧାନୀକୁ ଟ୍ରାଫିକ ସମସ୍ୟାରୁ ମୁକ୍ତ କରିବାକୁ ଆଉଟର ରିଙ୍ଗ ରୋଡ ଓ ଇନର୍ ରିଙ୍ଗ ରୋଡ଼ ନିର୍ମାଣ କରାଯିବ । କିନ୍ତୁ ଏ ପର୍ଯ୍ୟନ୍ତ ମୂଳ ରିଙ୍ଗ ରୋଡ଼ର ଟେଣ୍ଡର ଚୂଡାନ୍ତ ହୋଇପାରିନି।