କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳ ଘଟଣା: ଆଜି ମାଆବାପା ଓ ନବଜାତର ଡିଏନଏ ଟେଷ୍ଟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ବିବାଦ ଘଟଣା । ୫ ଦିନ ଧରି ଲାଗି ରହିଥିବା ଆରୋପ ଓ ପ୍ରତ୍ୟାରୋପର ହେବାକୁ ଯାଉଛି ଅନ୍ତ । ଆଜି ହେବ ଡିଏନ୍ଏ ଟେଷ୍ଟ । କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ କୋର୍ଟରୁ ଅନୁମତି ଲାଗି ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି ।

ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳ ଓ ତାଙ୍କ ପତ୍ନୀ ଏବଂ ନବଜାତ ଶିଶୁର ସାମ୍ପୁଲ ଫରେନସିକ୍ ଲାବରେଟୋରୀ ପକ୍ଷରୁ ସଂଗ୍ରହ କରାଯିବ । ଏହି ଡିଏନ୍ଏ ସାମ୍ପୁଲକୁ ପରୀକ୍ଷା ଲାଗି ପଠାଯିବ । ରିପୋର୍ଟ ଆସିବା ପରେ ଶିଶୁକନ୍ୟା କାହାର ସ୍ପଷ୍ଟ ହୋଇଯିବ । ନବଜାତ ଶିଶୁ ଓ ମା’ ଉଭୟ ସୁସ୍ଥ ଥିବା ଡାକ୍ତରୀ ଟିମ ପକ୍ଷରୁ କୁହାଯାଇଛି । ସେପଟେ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । କାର୍ଯ୍ୟରେ ଅବହେଳା ଓ ତ୍ରୁଟି ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଗତ ୨୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ଏକ ପିଲାକୁ ଜନ୍ମ ଦେଇଥିଲେ । ପ୍ରାଣକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ତାଙ୍କର ପୁଅ ହୋଇଥିବା ସୂଚନା ଦିଆଯାଇଥିଲା । ହେଲେ ପିଲାର ଫଟୋ ଉଠାଇବା ବେଳେ ସେ ପିଲାଟି ପୁଅ ନୁହେଁ ଝିଅ ବୋଲି ଦେଖିବାକୁ ପାଇଥିଲେ । ଏନେଇ ସେ ତା’ ପରଦିନ ଅର୍ଥାତ ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାସହ ଡିଏନଏ ଟେଷ୍ଟ ପାଇଁ ଦାବି ଜଣାଇଥିଲେ ।