ବୁଷ୍ଟର ଡୋଜ କିମ୍ବା ସତର୍କତାମୂଳକ ଡୋଜ ନେଇଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ ନାଜାଲ ଭାକ୍ସିନ

1 min read

ନୂଆଦିଲ୍ଲୀ: ବୁଷ୍ଟର ଡୋଜ କିମ୍ବା ଆଗୁଆ ସତର୍କତାମୂଳକ ଡୋଜ ନେଇଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ ନାଜାଲ ଭାକ୍ସିନ । ଏନେଇ ସୂଚନା ଦେଇଛନ୍ତି ଭାକ୍ସିନ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଏନକେ ଅରୋରା । ଗତ ସପ୍ତାହରେ କୋଓ୍ୱିନ ପୋର୍ଟାଲରେ ନାଜାଲ ଭାକ୍ସିନ ଇନକୋଭାକ ଉପଲବ୍ଧ ହୋଇଛି । ସେ କହିଛନ୍ତି,  ପ୍ରଥମ ବୁଷ୍ଟର ଡୋଜ ଭାବେ ଇନକୋଭାକକୁ ମଞ୍ଜୁରୀ ଦିଆଯାଇଛି । ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଡୋଜ ନେଇସାରିଛନ୍ତି କିମ୍ବା ବୁଷ୍ଟର ନେଇଛନ୍ତି ତେବେ ତାଙ୍କ ଲାଗି ନାଜାଲ ଭାକ୍ସିନକୁ ସୁପାରିସ କରାଯାଇପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସତର୍କତାମୂଳକ ଡୋଜ ନେଇନାହାନ୍ତି ସେମାନଙ୍କ ଲାଗି ହିଁ ନାଜାଲ ଭାକ୍ସିନ ସୁପାରିସ କରାଯାଇପାରିବ ।

ନ୍ୟାସନାଲ ଟେକନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ ଅଧୀନସ୍ଥ କୋଭିଡ ଓ୍ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଅଛନ୍ତି ଡାକ୍ତର ଅରୋରା । ସେ କହିଛନ୍ତି ଏକ ନିର୍ଦ୍ଦିଷ୍ଟ ପ୍ରକାର ଆଣ୍ଟିଜେନ ଦ୍ୱାରା ଯଦି ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ଟିକାକରଣ କରାଯାଏ ତେବେ ଶରୀର ଏହାକୁ ଗ୍ରହଣ କରିବ ନାହିଁ କିମ୍ବା ଏହାର ସ୍ୱଳ୍ପ ପ୍ରଭାବ ରହିବ । ଏହି କାରଣରୁ ଏମ-ଆରଏନଏ ଭାକ୍ସିନକୁ ୬ ମାସ ବ୍ୟବଧାନରେ ଦିଆଯାଇଥାଏ । ନାଜାଲ ଭାକ୍ସିନର ପ୍ରଭାବ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି ବୋଲି କହିଛନ୍ତି ଡାକ୍ତର ଅରୋରା ।