ଲୋନ୍ ମୋରାଟୋରିୟମ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସଂପୂର୍ଣ୍ଣ ଋଣ ଛାଡ଼ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଲୋନ୍ ମୋରାଟୋରିୟମ ବା ଋଣ ଆଦାୟ ବନ୍ଦ ଅବଧି ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଋଣ ନେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ କରୋନା ପାଇଁ ଛାଡ଼ କରାଯିବନି ସୁଧ । ୨୦୨୦ ଅଗଷ୍ଟ ୩୧ ପରଠାରୁ ସଂସ୍ଥାଗୁଡ଼ିକୁ ଚକ୍ରବର୍ତ୍ତୀ ସୁଧ ଦେବାକୁ ହେବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି । କରୋନା ମହାମାରୀ ପାଇଁ ସୁଧ ସମ୍ପୂର୍ଣ୍ଣ ଛାଡ଼ କରିବା ସହ ମୋରାଟୋରିୟମ ସମୟ ବଢ଼ାଇବାକୁ କେତେକ ସେକ୍ଟର ଦାବି କରିଥିଲେ ।

ମାତ୍ର ଗତ ଅଗଷ୍ଟ ୩୧ ପରଠାରୁ ସମସ୍ତ ସେକ୍ଟର ଓ ବ୍ୟକ୍ତିବିଶେଷଙ୍କୁ ଚକ୍ରବର୍ତ୍ତୀ ସୁଧ ଦେବାକୁ ପଡ଼ିବ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ସରକାରଙ୍କ ସପକ୍ଷରେ ଯାଇ କୋର୍ଟ କହିଛନ୍ତି, କେବଳ କମ୍ପାନୀ ନୁହନ୍ତି, କରୋନା ମହାମାରୀ ବେଳେ ସରକାର ମଧ୍ୟ କ୍ଷତି ସହିଛନ୍ତି । ସରକାର ଓ ରିଜର୍ଭ ବ୍ୟାଙ୍କ ଉପରେ ଆଉ ଚାପ ପକାଯାଇପାରିବ ନାହିଁ । ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ଏମ୍ ଆର୍ ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

କୋର୍ଟଙ୍କ ନିଷ୍ପତ୍ତି ପରେ ରିୟଲ ଇଷ୍ଟେଟ୍ ଭଳି କେତେକ ସେକ୍ଟରକୁ ଝଟ୍‌କା ଲାଗିଛି । ଏହାଛଡ଼ା ଦେଶର ଅର୍ଥନୀତି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୌଣସି ଯାଜନା ଠିକ୍ ବା ଭୁଲ୍ ସେ ନେଇ କୋର୍ଟ ନିଷ୍ପତ୍ତି ନେବେ ନାହିଁ । ମାତ୍ର ସେହି ଯୋଜନା ଆଇନ ସମ୍ମତ କି ନୁହେଁ, ତାହା କୋର୍ଟ ସୂଚିତ କରିବେ ବୋଲି ଖଣ୍ଡପୀଠ କହିଛନ୍ତି । ପୂର୍ବରୁ ଏହି ମାମଲାରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ । ଯେଉଁଥିରେ, କମ୍ପାନୀଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଯୋଗାଇବା ସମ୍ଭବ ନୁହେଁ ବୋଲି ଉଲ୍ଲେଖ କରାଯାଇଥିଲା ।

Leave a Reply