ରାଜ୍ୟରେ ବିକ୍ରି ହେଉଛି ଚାକିରି ! ମୋହନ ସରକାର ବିରୋଧରେ ଆଶାୟୀଙ୍କ ଗର୍ଜନ, ଟଙ୍କା ଉଡ଼ାଇ କଲେ ପ୍ରତିବାଦ

ଭୁବନେଶ୍ବର: ସରକାରୀ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ପ୍ରଶ୍ନବାଚୀ । ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ସାରା ରାଜ୍ଯରୁ ଆସୁଛି ମାଳମାଳ ଅଭିଯୋଗ । କେଉଁଠି ସାଇବର କାଫେରେ ପରୀକ୍ଷା କରାଯାଇ କମ୍ପ୍ଯୁଟର ହ୍ଯାକ୍ କରାଯାଉଛି ତ ଆଉ କେଉଁଠି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପରୀକ୍ଷାରେ ଅନିୟମିତତା ବିରୋଧରେ ରାଜଧାନୀ ଭୁବନେଶ୍ବରରେ ଗର୍ଜିଛନ୍ତି ପରୀକ୍ଷାର୍ଥୀ ।

ହଜାର ହଜାର ଆଶାୟୀ ଏକତ୍ରିତ ହୋଇ ଲୋୟର ପିଏମଜିରେ କରିଛନ୍ତି ବିକ୍ଷୋଭ । ଟଙ୍କା ଉଡ଼ାଇ ଅଭିନବ ଉପାୟରେ ସରକାରଙ୍କ ବିରୋଧରେ କରିଛନ୍ତି ପ୍ରତିବାଦ । ଆଉ ରାଜ୍ୟରେ ଚାକିରି ବିକ୍ରି ହେଉଥିବା ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ଗୋଟିଏ ପରେ ଗୋଟିଏ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେବା ଏହାକୁ ପ୍ରମାଣିତ କରୁଛି । ପରୀକ୍ଷାରେ କୌଣସି ସ୍ବଚ୍ଛତା ରଖାଯାଇନାହିଁ। ଏଣୁ ଅଫଲାଇନରେ ପୁନଃ ପରୀକ୍ଷା ସହ ବିଭ୍ରାଟକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରି ଧାରଣାରତ ଆଶାର୍ୀ ପରୀକ୍ଷାର୍ଥୀ । ନାରାବାଜି କରି କହିଛନ୍ତି, ଯଦି ସରକାରଙ୍କ ପାଖରେ ଅଫଲାଇନ ପାଇଁ ପରୀକ୍ଷା କେନ୍ଦ୍ର କରି ପରୀକ୍ଷା କରାଇବାକୁ ସମ୍ବଳ ନାହିଁ ଆମେ ଟଙ୍କା ଦେଉଛୁ ପରୀକ୍ଷା କରାଅ କହି ହଙ୍ଗାମା କରିଛନ୍ତି ।

ଆନ୍ଦୋଳନକାରୀ ମୁଖ୍ଯମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି ।