ପ୍ରାର୍ଥୀଙ୍କ ସବୁ ଅପରାଧ ରେକର୍ଡ ଜାଣିପାରିବେ ଭୋଟର

ଭୁବନେଶ୍ବର: ଗତକାଲି ଲୋକସଭା ଓ ୪ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ଚଳିତ ନିର୍ବାଚନରୁ ଭୋଟର ପ୍ରାର୍ଥୀଙ୍କ ସବୁ ଅପରାଧିକ ରେକର୍ଡ ସମ୍ପର୍କରେ ପାରିବେ ଜାଣି । ଭୋଟରଙ୍କୁ ଅଧିକ ଶକ୍ତିଶାଳୀ କରିବା ଲାଗି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ କରାଯାଇଛି ନୋ ୟୁଓର କ୍ଯାଣ୍ଡିଡେଟ ଆପ୍ ।

ଏହି ଡିଜିଟାଲ ଆପ୍ଲିକେସନରେ ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ସବୁକିଛି ଜାଣିପାରିବେ । ପ୍ରାର୍ଥୀଙ୍କ ଅପରାଧିକ କାର୍ଯ୍ୟକଳାପ, ମାମଲା, ସମ୍ପତ୍ତି ଆଦି ସମ୍ପର୍କରେ ଏହି ଆପରୁ ସବିଶେଷ ତଥ୍ଯ ଜାଣିପାରିବେ ଭୋଟର । ଏନେଇ ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର। ନିଜର ଗଣତାନ୍ତ୍ରିକ ଅଧିକାର ହାସଲ କରିବା ଲାଗି ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ଜାଣିବାର ଆବଶ୍ଯକତା ରହିଛି ବୋଲି ସେ କହିଛନ୍ତି । ଗୁଗୁଲ ଆପ୍ ଷ୍ଟୋରରୁ ନୋ ୟୁଓର କ୍ଯାଣ୍ଡିଡେଟ ବା କେୱାଇସି ଡାଉନଲୋଡ କରାଯାଇପାରିବ । ଦେଶରେ ପ୍ରାୟ ୯୭ କୋଟି ଭୋଟର ଚଳିତ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବେ ।