ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, କାଲି ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ବର: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡର ମୋଟ ୯୬ ଲୋକସଭା ଆସନରେ ହେବ ଭୋଟ । ଗତ ୧୮ ତାରିଖରୁ ନାମାଙ୍କନ ହେଉଥିବାବେଳେ ଆଜି ଶେଷ ସୁଯୋଗ ରହିଛି । କାଲି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ୨୯ ଏପ୍ରିଲ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ଯାହାର କରିହେବ । ୧୩ ମେରେ ଭୋଟଗ୍ରହଣ ହୋଇ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ।

ଲୋକସଭା ସହ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଧାନସଭା ପାଇଁ ନିର୍ବାଚନ ହେଉଛି । ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି। ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ଗ୍ରହଣ ହେବ ।

ନୂଆପଡ଼ା, ଖଡ଼ିଆଳ, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡାରେ ଭୋଟ ଗ୍ରହଣ ହେବ।