‘ଠିକଣା ସମୟରେ ରୋଗ ଚିହ୍ନଟ ହେଲ ସୁସ୍ଥ ହେବେ କର୍କଟ ରୋଗୀ’

କଟକ : ଠିକଣା ସମୟରେ ରୋଗ ଚିହ୍ନଟ ହେଲେ କର୍କଟରୁ ମିଳିବ ମୁକ୍ତି । ଏଥିପାଇଁ ଆବଶ୍ଯକ ନିୟମିତ ଚିକିତ୍ସା ଓ ପରିବାରର ସହଯୋଗ । ବିଶ୍ୱରେ ଅନ୍ତର୍ଜାତୀୟ କର୍କଟ ଜୟୀ ଦିବସରେ ଏପରି ମତ ରଖିଲେ କ୍ଯାନ୍ସରରୁ ସୁସ୍ଥ ହୋଇଥିବା ରୋଗୀ । ୨୦୦୮ରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ସମାଜସେବୀ ବିଜୟଲକ୍ଷ୍ମୀ କର । ମୁମ୍ବାଇ ଯାଇ ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ସେଠାରେ ବ୍ଯବହହୁଳ ଜାଣି ଫେରିଥିଲେ ଓଡ଼ିଶା । ଆଉ କଟକ ଆଚାର୍ଯ୍ଯ ହରିହର ସ୍ନାତକୋତ୍ତର କର୍କଟ ରୋଗ ନିରୂପଣ ଓ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସା ପରେ ଏବେ ୧୭ ବର୍ଷ ହେବ ଭଲ ଅଛନ୍ତି । କେବଳ ସେ ଏକା ନୁହଁନ୍ତି ବରଂ ଶତାଧିକ କର୍କଟ ଜୟୀ ନିଜ ନିଜର ଆତ୍ମବିଶ୍ୱାସର କାହାଣୀ କହି ରୋଗୀଙ୍କ ମନରେ ବିଶ୍ୱାସ ଜନ୍ମାଇଛନ୍ତି ।
ପ୍ରତିବର୍ଷ ଭଳି ଏସସିବି ପରିସରରେ ଡାକ୍ତର, ସ୍ବେଚ୍ଛାସେବୀ ଓ କର୍କଟ ଜୟୀମାନେ ଏକାଠି ହୋଇ ଅନ୍ତର୍ଜାତିକ କର୍କଟ ଜୟୀ ଦିବସ ପାଳନ କରିଛନ୍ତି । ଏହି ଅବସରରେ ବିଶିଷ୍ଟ ଚିକିତ୍ସକମାନେ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟାକୁ ଦେଖିଲେ ହୃଦଘାତ ଓ ଦୁର୍ଘଟଣା ପରେ କ୍ୟାନସରର ପାଳି । ଜଣେ କ୍ୟାନସରରେ ପୀଡିତ ହେଲେ, ରୋଗୀର ଆତ୍ମବିଶ୍ୱାସ ଓ ପରିବାରର ପରିବେଶ ରୋଗୀକୁ ଭଲ ହେବାରେ ସହାୟକ ହୋଇଥାଏ । ପ୍ରତିବର୍ଷ କର୍କଟ ଜୟୀଙ୍କ ସଂଖ୍ୟା ବଢୁଥିବାରୁ ଡାକ୍ତର ଓ ରୋଗୀଙ୍କ ମନରେ ଆତ୍ମବିଶ୍ୱାସ ବଢୁଛି ବୋଲି ଏହି ଅବସରରେ ଅଭିନେତା ରାଜନେତା, ସ୍ବେଚ୍ଛାସେବୀ ମତ ଦେଇଛନ୍ତି ।