ଜଳ ପ୍ରଦୂଷଣରୁ କ୍ୟାନସର ଆଶଙ୍କା, ନଦୀ ଜଳ ବ୍ୟବହାର କରୁଥିବା ସହରବାସୀଙ୍କ ପ୍ରତି ବଡ଼ ବିପଦ

1 min read

କଟକ/ଭୁବନେଶ୍ବର : ଓଡ଼ିଶାର ପ୍ରମୁଖ ସହରରେ ବଢିବାରେ ଲାଗିଛି କ୍ୟାନସର ରିସ୍କ । ଭୁବନେଶ୍ବର, କଟକ, ରାଉରକେଲା ଓ ବ୍ରହ୍ମପୁର ପରି ସହରବାସୀଙ୍କ ପାଇଁ କ୍ୟାନସର ଆଶଙ୍କା ଅଧିକ। ICMR ର ଏକ ସର୍ଭେରୁ ଜଣାପଡ଼ିଛି, ଦୂଷିତ ଜଳାଶୟ ନିକଟରେ ରହୁଥିବା ଲୋକଙ୍କ ପାଇଁ ବଡ଼ ବିପଦ । ଶିଳ୍ପ ସଂସ୍ଥାର ଦୂଷିତ ବର୍ଜ୍ୟ ବସ୍ତୁ, ଖଣିରୁ ବାହାରୁଥିବା ବିଷାକ୍ତ ସାମଗ୍ରୀ ଓ ଠିକ ଭାବେ ଟ୍ରିଟମେଣ୍ଟ ହେଉନଥିବା ସ୍ବେରେଜର ବର୍ଜ୍ୟ ଏଥିପାଇଁ ମୁଖ୍ୟତଃ ଦାୟୀ । ଏସବୁ ବର୍ଜ୍ୟବସ୍ତୁ ମହାନଦୀ, କୁଆଖାଇ, କାଠଯୋଡ଼ି, ଦୟା, ବ୍ରାହ୍ମଣୀ, ଋଷିକୁଲ୍ୟା ନଦୀରେ ମିଶୁଥିବାରୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବଡ଼ ବିପଦ ଭାବେ ଉଭା ହୋଇଛି । ଲଗାତର ଭାବେ ପ୍ରଦୂଷିତ ନଦୀ ଜଳ ବ୍ୟବହାର କରୁଥିବାରୁ ଗଲ୍ ବ୍ଲାଡର କ୍ୟାନସର ହୋଇପାରେ ବୋଲି ସତର୍କ କରିଦେଇଛି ସର୍ଭେ।

ସବୁଠାରୁ ସମ୍ବେଦନଶୀଳ କଥା ହେଉଛି ଶିଳ୍ପସଂସ୍ଥାରୁ ବାହାରୁଥିବା ହେଭି ମେଟାଲ ଅଂଶକୁ ଠିକ ପରିଚାଳନା କରାଯାଉନାହିଁ । ଆଲୁମିନିୟମ, ଆର୍ସେନିକ୍, ଲିଡ୍ ଓ କାଡମିୟମ ପରି ଧାତୁର ବର୍ଜ୍ୟ ପାଣିରେ ମିଶୁଥିବାରୁ ସ୍ବାସ୍ଥ୍ୟ ପାଇଁ ବଡ଼ ବିପଦ ହେବ ବୋଲି ସତର୍କବାଣୀ ଶୁଣାଇଛି ଏହି ସର୍ଭେ । ଏକ ପରିସଂଖ୍ୟାନରୁ ଜଣାପଡ଼ିଛି, ୫ ବର୍ଷ ମଧ୍ୟରେ ଓଡ଼ିଶାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୧.୫ ପ୍ରତିଶତ ବୃଦ୍ଧିପାଇଛି । ପୂର୍ବରୁ ଖାଦ୍ୟ, ପାନୀୟ ଓ ଅନ୍ୟ କାରକକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ଏବେ ଜଳ ପ୍ରଦୂଷଣରୁ କ୍ୟାନସର ଆଶଙ୍କା ଉଦବେଗ ବଢ଼ାଇ ଦେଇଛି। ICMRର ଏହି ସର୍ଭେ ପରେ ସରକାର ସଚେତନ ହୋଇ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ପ୍ରଦୂଷଣ  ନିୟନ୍ତ୍ରଣ ସହିତ ନିରାପଦ ଓ୍ବାଟର ମ୍ୟାନେଜମେଣ୍ଟକୁ ଫୋକସ୍ ନ କଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବ ଏଥିଲେ ଦ୍ବିମତ ନାହିଁ ।