କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ କ୍ୟାନସର କେୟାର ସେଣ୍ଟର: ୭୦କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ସେବା । ପ୍ରତିଷ୍ଠା ହେବ କ୍ୟାନସର କେୟାର ସେଣ୍ଟର ଓ ଆପେକ୍ସ ନିଦାନ କେନ୍ଦ୍ର । ଏଥିପାଇଁ ସ୍ଥାନ ଚିହ୍ନଟ ହୋଇସାରିଥିବା ବେଳେ ମିଳିଲା ୭୦କୋଟି ଟଙ୍କାର ପ୍ରାଶାସନିକ ଅନୁମୋଦନ ମିଳିଛି । ଏଣିକି କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡ଼ିବନି କି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ପ୍ରକଳ୍ପ କାର୍ଯ୍ୟ ।

ବଦଳିବ କ୍ୟାପିଟାଲ ହସ୍ପିଟାଲର ଚିତ୍ର । ପ୍ରତିଷ୍ଠା ହେବ କ୍ୟାନସର କେୟାର ସେଣ୍ଟର । ସ୍ଥାପନ ହେବ ବହୁତଳ ଅତ୍ୟାଧୁନିକ ନିଦାନ କେନ୍ଦ୍ର । ମିଳିଲା ୭୦କୋଟି ଟଙ୍କାର ପ୍ରାଶାସନିକ ଅନୁମୋଦନ । ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ଇତି ମଧ୍ୟରେ କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଛି ମେଡିକାଲ କଲେଜର ମାନ୍ୟତା । ୧୫ଟି ବିଭାଗରେ ଆରମ୍ଭ ହେବ ପିଜି କୋର୍ସ । ସେପଟେ ହସ୍ପିଟାଲରେ ନୂତନ ଭାବେ ପ୍ରତିଷ୍ଠା ହେବ କ୍ୟାନସର କେୟାର ସେଣ୍ଟର । ବର୍ତ୍ତମାନ ଥିବା କର୍କଟ ବିଭାଗର ଶଯ୍ୟା ସଂଖ୍ୟା ୧୬ରୁ ୫୦କୁ ବୃଦ୍ଧି ପାଇବ । ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ତଥା ମାଗଣା ଚିକିତ୍ସା ସେବା । ନିର୍ମାଣ ହେବ ୪ ମହଲା ବିଶିଷ୍ଟ କୋଠା । ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୪୯କୋଟି ୩୪ଲକ୍ଷର ଆର୍ଥିକ ଅନୁଦାନ ପାଇଁ ମିଳିଛି ପ୍ରଶାସନିକ ଅନୁମୋଦନ । ସେହିଭଳି ୪ମହଲା ବିଶିଷ୍ଟ କୋଠା ନିର୍ମାଣ କରି କ୍ୟାମ୍ପସରେ ପ୍ରତିଷ୍ଠା ହେବ ରାଜ୍ୟର ଆପେକ୍ସ ନିଦାନ କେନ୍ଦ୍ର । ସବୁ ପ୍ରକାର ରୋଗର ହେବ ପରୀକ୍ଷା । ଏଥିପାଇଁ ମଧ୍ୟ ମିଳିଛି ୨୦କୋଟି ୩୫ଲକ୍ଷ ଟଙ୍କାର ଅନୁମୋଦନ ।

କ୍ୟାପିଟାଲ ହସ୍ପିଟାଲରେ ଥିବା କର୍କଟ ବିଭାଗ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ ନିର୍ଭର କରନ୍ତି । ଉତ୍ତମ ଚିକିତ୍ସା ସେବା ଉପଲବ୍ଧ ହେଉଥିବାରୁ ୧୬ ଶଯ୍ୟା ବିଶିଷ୍ଟ ଏହି ଓ୍ୱାର୍ଡରେ ଦୈନିକ ରୋଗୀଙ୍କ ଭିଡ଼ ଜମୁଛି । କର୍ମଚାରୀଙ୍କ ଅଭାବ ନଥିବାବେଳେ ମାଗଣାରେ ସେବା ମିଳୁଥିବାରୁ କର୍କଟ ରୋଗୀଙ୍କ ପସନ୍ଦ କ୍ୟାପିଟାଲ ହସ୍ପିଟାଲ । ରାଜ୍ୟ ସରକାରଙ୍କ ସମୟୋପଯୋଗୀ ନିଷ୍ପତ୍ତି ନିଶ୍ଚିତ ଭାବେ ରୋଗୀଙ୍କ ପାଇଁ ସହାୟକ ହେବ ବୋଲି କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ । ସେପଟେ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର କ୍ୟାନସର କେୟାର ସେଣ୍ଟର ପ୍ରତିଷ୍ଠା ଦ୍ୱାରା ରୋଗୀ ଉପକୃତ ହୋଇପାରିବେ ବୋଲି ମତ ରଖିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ୟାନସର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ କ୍ୟାପିଟାଲ ହସ୍ପିଟାଲର ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଏଠାରେ ଆଙ୍କୋଲୋଜି ସର୍ଜରୀ ବିଭାଗ ଖୋଲିବାକୁ ମତ ପ୍ରକାଶ ପାଇଛି ।

ଏଥିସହିତ ପଢ଼ନ୍ତୁ: ଫାଣ୍ଡି ଆଗରେ ଡ୍ରାଇଭରଙ୍କୁ ଆଣ୍ଠେଇଲେ ବସ୍ ମାଲିକ, ଜାଣନ୍ତୁ କାହିଁକି