ଭାଙ୍ଗିଲା କେନାଲ ବନ୍ଧ, ହେକ୍ଟର ହେକ୍ଟର ଚାଷ ଜମିରେ ମାଡ଼ିଗଲା ପାଣି

ଜୟପୁର: ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଚାଷ କରିଥିଲା । କରୋନା ସମୟରେ କିଛି ରୋଜଗାର ହୋଇଥିଲେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳିଥାନ୍ତା । କିନ୍ତୁ ଏବେ ସବୁ ଉଜୁଡ଼ି ଗଲା । କେନାଲ ପାଣି ସବୁ ବୁଡ଼େଇ ଦେଲା । ଯେଉଁ କେନାଲକୁ ଚାଷ ପାଇଁ ବରଦାନ ଭାବିଥିଲେ ଚାଷୀ ସେହି କେନାଲ ଏବେ ଅଭିଶାପ ପାଲଟିଲା । ହଠାତ ସବୁକିଛି ବଦଳିଗଲା । ଚାଷକୁ ନେଇ ସଜ ସଜ ଭାବନାକୁ ଧୋଇନେଲା କେନାଲର ପାଣି । ମୁହୂର୍ତ୍ତକେ ଭାଙ୍ଗିଲା କେନାଲର ବନ୍ଧ । ଶହ ଶହ ହେକ୍ଟର ଚାଷ ଜମି ହେଲା ବାଲିଚର । କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଡୁମୁରାଗୁଡାରେ କୋଲାବ ମୁଖ୍ୟ କେନାଲର ବନ୍ଧ ଭାଙ୍ଗିଯିବାରୁ ଜଳମଗ୍ନ ହୋଇଛି ଚାଷଜମି । ମରାମତି ଅଭାବରୁ ତଥା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ବନ୍ଧ ଭାଙ୍ଗିଥିବା ଚାଷୀ ଅଭିଯୋଗ କରିଛନ୍ତି  ।

ସୂଚନା ଅନୁଯାୟୀ, ଚାଷ କାର୍ଯ୍ୟ ପାଇଁ ଫଷଲ ଜମି ପାଖରେ ଯାଇଥିଲା କେନାଲ । ତେବେ କେନାଲ ବନ୍ଧ ବହୁ ପୁରୁଣା ହୋଇପଡ଼ିଥିଲା । ସେଥିପାଇଁ କେନାଲ ବନ୍ଧର ମରାମତି ପାଇଁ ବାରମ୍ବାର କୁହାଯାଇଥିଲା । କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଇନଥିଲେ । ଯାହା ଫଳରେ କେନାଲରେ ପାଣି ଅଧିକ ହେବାରୁ କେନାଲଟି ଭାଙ୍ଗିଯାଇଥିଲା । ସେପଟେ ମରାମତି ଅଭାବରୁ କୋଲାବ କେନାଲର ବନ୍ଧ ଭାଙ୍ଗିପଡ଼ିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି  । ୧୫ ଫୁଟ୍‌ ଉଚ୍ଚର ବନ୍ଧ ଭାଙ୍ଗିବାରୁ ଜଳମଗ୍ନ ହୋଇଛି ୫ଶହ ହେକ୍ଟରୁ ଅଧିକ ଚାଷଜମି ।

ଯାହାଫଳରେ ହେକ୍ଟର ହେକ୍ଟ ଚାଷଜମି ଏବେ ନଷ୍ଟ ହୋଇଯାଇଚି ।  ନଷ୍ଟ ହୋଇଛି ବ୍ୟାପକ ଫସଲ  । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଆଉ ଏବେ ଚିନ୍ତାରେ ପଡ଼ିଛନ୍ତି  ଚାଷୀ  । ଏ ବିଷୟରେ  ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖେ ସମସ୍ତ ସୂଚନା ଥିଲେ ମଧ୍ୟ ଅନୁଦାନ ଅଭାବରୁ କେନାଲ ବନ୍ଧ ମରାମତି କରିପାରିନଥିବା ସଫେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ  । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀ ଋଣ ଶୁଝିବା ଚିନ୍ତା ପଡ଼ିଛନ୍ତି  ।

Leave a Reply