ଆଜି ଭଙ୍ଗ ହେବ କାନାଡା ପାର୍ଲାମେଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଆଜି ଭଙ୍ଗ ହେବ କାନାଡା ପାର୍ଲାମେଣ୍ଟ । ସଂସଦ ଭଙ୍ଗନେଇ ଗଭର୍ଣ୍ଣର ଜେନେରାଲଙ୍କୁ ସୁପାରିସ କରିବେ ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି । ଏହା ସହ ଆସନ୍ତା ଏପ୍ରିଲ୨୮ କିମ୍ବା ମେ ୫ରେ ନିର୍ବାଚନ ନେଇ କରିପାରନ୍ତି ଘୋଷଣା । ଜଷ୍ଟିନ ଟ୍ରୁଡୁଙ୍କ ପରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବାର କିଛି ଦିନ ଅନ୍ତେ ପାର୍ଲାମେଣ୍ଟକୁ ଭଙ୍ଗ କରିପାରନ୍ତି କାର୍ଣ୍ଣି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସେ ନୂଆ କ୍ୟାବିନେଟ ନିଯୁକ୍ତ କରିଥିଲେ । ଆମେରିକା ସହ ଟ୍ରେଡ ଓ୍ବାର ଚାଲିଥିବାବେଳେ କାନାଡା ନିର୍ବାଚନ ଅନେକ ଗୁରୁତ୍ବ ବହନ କରିବ । ସେପଟେ ସାନି ନିର୍ବାଚନ ଲାଗି ପ୍ରସ୍ତୁତ ହେଲେଣି ଲିବରାଲ, କଞ୍ଜରଭେଟିଭ ଓ ନ୍ୟୁ ଡେମୋକ୍ରାଟିକ ପାର୍ଟି । ଲିବରାଲ ପାର୍ଟି ପକ୍ଷରୁ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉଛି । ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ପୂର୍ବତନ ଭାଙ୍କୋଭର ମେୟର ଗ୍ରିଗର ରବର୍ଟସନ । ୬୦ ବର୍ଷ ବୟସ୍କ ତଥା ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣିଙ୍କ ଲାଗି ଏହି ନିର୍ବାଚନ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି ।