କାନାଡ଼ାରେ ଖାଲିସ୍ତାନୀ ସମର୍ଥକଙ୍କ ଆତଙ୍କ: ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇ ନେବା ସହ ଦେଲେ ଧମକ

ନନ୍ଦିଘୋଷ ବ୍ୟୁରୋ: କାନାଡ଼ାର ବେଙ୍କୁଓ୍ବରରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ । ଆନ୍ଦୋଳନ ବେଳେ ସାମ୍ବାଦିକଙ୍କୁ କଲେ ଆକ୍ରମଣ । ଏହି ଅଭିଯୋଗ ଆକ୍ରମଣର ଶିକାର କାନାଡ଼ାଇ ସାମ୍ବାଦିକ ମୋଚା ବିଜେର୍ଗନ କରିଛନ୍ତି । ସେ କହିଛନ୍ତି, ମୁଁ ସେଠାକୁ ରିପୋର୍ଟିଂ କରିବାକୁ ଯାଇଥିଲି । ହେଲେ କିଛି ଖାଲିସ୍ତାନୀ ସମର୍ଥକ ମୋତେ ଚାରି ପଟୁ ଘେରି ଯାଇ ଧମକାଇବା ସହ ମୋ ମୋବାଇଲ ଛଡ଼ାଇ ନେଲେ । ମୁଁ ରିପୋର୍ଟିଂ ଖାଲିସ୍ତାନୀ ସମର୍ଥକ ସହି ପାରୁ ନାହାନ୍ତି । ଏହି କାରଣରୁ ସେମାନେ ମୋତେ ଆକ୍ରମଣ କରିଛନ୍ତି ।
ମୋଚା ଏଏନଆଇକୁ କହିଛନ୍ତି, ବେଙ୍କୁଓ୍ବରରେ ଖାଲିସ୍ତାନୀ ସମର୍ଥକଙ୍କ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଛି । ଏଠାରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକରୀଙ୍କୁ ସହିଦ କହି ଶ୍ରଦ୍ଧାଞ୍ଜଳି ଦିଆଯାଉଥିଲା । ମୁଁ ରିପୋର୍ଟିଂ କରୁଥିବା ବେଳେ ସେମାନେ ମୋତେ ଘେରି ଗଲେ, ଧମକାଇଲେ । ଏପରିକି ସେମାନେ ମୋତେ ଆକ୍ରମଣ ମଧ୍ୟ କରିଛନ୍ତି । ସେମାନେ ମୋ ମୋବାଇଲ ଛଡ଼ାଇ ନେଇଛନ୍ତି ।
ସେ କହିଛନ୍ତି, ଯେଉଁମାନେ ମୋତେ ଆକ୍ରମଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ କିଛିଦିନ ହେବ ଅନଲାଇନରେ ମୋତେ ହଇରାଣ କରୁଛନ୍ତି । ମୋ ପ୍ରତି ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି । ମୁଁ କେବଳ ସତ ଦେଖାଇବାକୁ କାନାଡା, ବ୍ରିଟେନ, ଆମେରିକା ଓ ନ୍ୟୁଜିଲାଣ୍ଡରେ ହେଉଥିବା ଖାଲିସ୍ତାନୀ ପ୍ରଦର୍ଶନକୁ ରିପୋର୍ଟିଂ କରିଥାଏ । ଯାହା କିଛି ଖାଲିସ୍ତାନୀ କଟ୍ଟରପନ୍ଥିଙ୍କୁ ପସନ୍ଦ ଆସୁନି । ସେମାନେ ମୋତେ ଡରାଇବା ସହ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଛନ୍ତି ।
ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ କାନାଡ଼ାର ନାଗରିକ ନୁହେଁ, ବରଂ ବ୍ରିଟେନରୁ ଆସିଥିଲା ବୋଲି ମୋଚା କହିଛନ୍ତି । ଆଗକୁ ସେ କହିଛନ୍ତି, ମୁଁ ସେଠାକୁ କେବଳ ରିପୋର୍ଟିଂ ପାଇଁ ଯାଇଥିଲି । କାହାରିଙ୍କୁ ଉତ୍ତେଜିତ କରିବା ମୋର ଉଦ୍ଦେଶ୍ୟ ନଥିଲା । ଖାଲିସ୍ତାନୀ ସମର୍ଥକଙ୍କ ଚିନ୍ତାଧାରା ହେଲା, ସେମାନଙ୍କ କଥାରେ ଯିଏ ସହମତ ନୁହେଁ, ସେମାନଙ୍କୁ ଚୁପ କରାଇ ଦେବା ।
ସୂଚନାଯୋଗ୍ୟ, ଘଟଣା ସମୟରେ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାରେ କାହାକୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି । ହେଲେ, ସାମ୍ବାଦିକଙ୍କ ଉପରେ ଆକ୍ରମଣ କାନାଡ଼ାରେ ଖାଲିସ୍ତାନୀ ଗତିବିଧି ଉପରେ ପୁଣି ଥରେ ପ୍ରଶ୍ନ ଛିଡ଼ା କରିଛି ।