spot_img

Latest Posts

ପିଲାମାନଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ କଲା କ୍ୟାନାଡ଼ା

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ୧୨ରୁ ୧୫ ବର୍ଷ ବୟସର ପିଲାଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ କରିଛି କ୍ୟାନାଡ଼ା। ଏଥିପାଇଁ ଜର୍ମାନ୍ ସହାୟତାରେ ପ୍ରସ୍ତୁତ ଫାଇଜର ଟିକାକୁ କ୍ୟାନାଡ଼ା ସରକାର ଅନୁମୋଦନ କରିଛନ୍ତି। ପ୍ରଥମଥର ପାଇଁ ବିଶ୍ୱରେ କୌଣସି ଦେଶ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରିଥିବାରୁ ସାରା ବିଶ୍ୱ ଏହାର ପ୍ରତିଫଳନକୁ ଅପେକ୍ଷା କରିଛନ୍ତି।

ଏହି ମର୍ମରେ କାନାଡ଼ା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା ସୁପ୍ରିୟା ଶର୍ମା କହିଛନ୍ତି ଯେ ଏହି ଟିକା କିଶୋର ବୟସ୍କଙ୍କ ପାଇ ନିରାପଦ ଓ ଉପାଦେୟ। ଏହିଭଳି ଏକ ଦୃଢ଼ ପଦକ୍ଷେପ ନେଇ କାନାଡ଼ା କୋଭିଡ୍ ବିରୁଦ୍ଧରେ ଲଢ଼ୁଥିବା ଅନ୍ଧକାର ରାସ୍ତାରେ ଦୀପଟିଏ ଲଗାଇବାକୁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି।

ଫାଇଜର ଟିକା ଜର୍ମାନ୍ ଜ୍ଞାନକୌଶଳ ସହାୟତାରେ ପ୍ରସ୍ତୁତ ହୋଇଛି। ଏହି ଟିକା କିଶୋର ବୟସ୍କଙ୍କ ପାଇଁ ନିରାପଦ ଜାଣିବା ପରେ ତାଙ୍କ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ କାନାଡ଼ାରେ ଆଷ୍ଟ୍ରୋଜେନେକା ଟିକା ପ୍ରଦାନ କରାଯାଇଥିଲା। ଏହି ଟିକା କିଛି ମାତ୍ରାରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏପରିକି ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ବି ଘଟିଛି। କିନ୍ତୁ ଏହି ପାର୍ଶ୍ୱ ପ୍ରତିକ୍ରିୟା ଜନିତ ମୃତ୍ୟୁ ବିରଳ ଘଟଣା। ବିଶାଳ ଜନତାଙ୍କୁ ମହାମାରୀରୁ ରକ୍ଷା କରିବାକୁ ହେଲେ ଟିକାକରଣ ଅଧିକ ଜରୁରୀ ବୋଲି ଚିନ୍ତା କରି ପ୍ରାଦେଶିକ ସରକାରମାନେ ଟିକାକରଣକୁ ପ୍ରୋତ୍ସାହନ ଦେଉଛନ୍ତି।

କାନାଡ଼ାର ଏହି ପଦକ୍ଷେପକୁ ଦେଖି ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ କିଶୋର ବୟସ୍କଙ୍କୁ ଟିକାଦାନ କରିବା ଲାଗି ଚାହିଁଛନ୍ତି। ୟୁଏସ୍ ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ କାନାଡ଼ା ସରକାରଙ୍କ ଭଳି ଆମେରିକାରେ ମଧ୍ୟ କିଶୋରଙ୍କୁ ଟିକାଦାନ କରିବା ଲାଗି ‘ଖୁବ୍ ଶୀଘ୍ର’ ପଦକ୍ଷେପ ନେବ ବୋଲି କହିଛନ୍ତି।

Latest Posts

Don't Miss